Russian army recruitment : ଭାରତୀୟଙ୍କୁ ଚେତାଇଲା କେନ୍ଦ୍ର, ଋଷ ସେନାରେ ଯୋଗ ଦେବା ଘାତକ, ଆକର୍ଷଣୀୟ ଅଫର ଠାରୁ ଦୂରେଇ ରୁହ…

ନୂଆଦିଲ୍ଲୀ, ୨/୧୦ : ରୁଷ୍ର ସଶସ୍ତ୍ର ବାହିନୀରେ ସାମିଲ ହେବା ଲାଗି ମିଳୁଥିବା ଅଫରକୁ ଆଦୌ ସ୍ୱୀକାର କରନାହିଁ । ଏଭଳି ଅଫରରୁ ଦୂରେଇ ରହିବା ଜରୁରି । କାରଣ ରୁଷ୍ ସେନାରେ ସାମିଲ ହେବା ବିପଜ୍ଜନକ । ଏହାଦ୍ୱାରା ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ରୁଷ୍ ସେନାରେ ସାମିଲ ହୋଇ କିଛି ଭାରତୀୟ ଠକାମି, ନିର୍ଯାତନାର ଶିକାର ହେବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ନାଗରିକଙ୍କୁ ଏଭଳି ପରାମର୍ଶ ଦିଆଯାଇଛି ।
ବିଦେଶ ମନ୍ତ୍ରଣାଳୟ ଏହି ପରିପ୍ରେକ୍ଷୀରେ ଆଡ୍ଭାଇଜରି ଜାରି କରିଛି । ଏଥିରେ କୁହାଯାଇଛି, ଗତ ଦୁଇ ବର୍ଷ ମଧ୍ୟରେ ସରକାର ଏଭଳି କାର୍ଯ୍ୟରେ ଜଡ଼ିତ ବିପଦ ସଂକ୍ରାନ୍ତରେ ଅନେକ ଥର ସତର୍କ କରାଇଛନ୍ତି । ବିଦେଶରେ ନିଯୁକ୍ତି ସୁଯୋଗ ଖୋଜିବା ବେଳେ ଅତ୍ୟନ୍ତ ସାବଧାନତା ଅବଲମ୍ୱନ କରିବାକୁ କୁହାଯାଇଥିଲା । ଏମିତି କି ଏଜେଣ୍ଟ କିମ୍ୱା ବେସରକାରୀ ସଂସ୍ଥା ଦ୍ୱାରା ଦିଆଯାଉଥିବା ଅଫରର ପ୍ରଲୋଭନରେ ନ ପଡ଼ିବାକୁ ବି ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ପୁନର୍ବାର ସ୍ପଷ୍ଟ କରାଯାଉଛି ଯେ ଏହା ବିପଜ୍ଜନକ ତଥା ଘାତକ । ଏଥିରୁ ଦୂରେଇ ରହିବା ଆବଶ୍ୟକ ।
ମନ୍ତ୍ରଣାଳୟ ଆହୁରି କହିଛି, ଅନେକ ଘଟଣାରେ କିଛି ଲୋକ ସ୍ୱେଚ୍ଛାକୃତ ଭାବେ ନାଗରିକତା ଛାଡ଼ି ରୁଷ୍ ପାସ୍ପୋର୍ଟ ହାସଲ କରିବା ଏବଂ ପରେ ରୁଷ୍ ସେନାରେ ନିଯୁକ୍ତି ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିଛନ୍ତି । ଆଉ କେତେକ ଅସ୍ଥାୟୀ ଆର୍ଥିକ ପ୍ରଲୋଭନରେ ପଡ଼ି ଭାରତୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶ ନ ନେଇ ପୂର୍ବରୁ ଏଭଳି କରିସାରିଛନ୍ତି । ଏହା କରି ସେମାନେ ନିଜକୁ ଯେ ମାରାତ୍ମକ ବିପଦ ମୁହଁକୁ ଠେଲି ଦେଉଛନ୍ତି, ତାହା ସେମାନଙ୍କୁ ବୁଝିବାକୁ ପଡ଼ିବ । ଭାରତୀୟ ନାଗରିକଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ହେବ । ଅନ୍ୟପକ୍ଷରେ ବର୍ତ୍ତମାନ ରୁଷ୍ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କୁ ଯଥାଶୀଘ୍ର ସ୍ୱଦେଶ ଫେରାଇ ଆଣିବା ଲାଗି ଅଭିଯାନ ଜାରି ରହିଛି । ଏହି ପ୍ରସଙ୍ଗରେ ଭାରତ ସରକାର ରୁଷ୍ ପକ୍ଷ ସହ ନିରନ୍ତର ଭାବେ ଯୋଗାଯୋଗରେ ଅଛନ୍ତି । ତେବେ ଆଗକୁ କୌଣସି ନାଗରିକ ଜାଣିଶୁଣି ବିପଦର ସମ୍ମୁଖୀନ ହେବା ଉଚିତ ନୁହେଁ । ସେମାନେ ପାରୁପର୍ଯ୍ୟନ୍ତ ସତର୍କ ରହିବା ଆବଶ୍ୟକ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ।
ସୌଜନ୍ୟ ପ୍ରମେୟ




