କାଞ୍ଜିପାଣି ଓ ଜୁଡ଼ିଆ ଘାଟିରେ ପଥର ଖସିଲା: ଜାତୀୟ ରାଜପଥ-୪୯ରେ ଯାତାୟାତ ବାଧାପ୍ରାପ୍ତ
ଲଘୁଚାପଜନିତ ଲଗାଣ ବର୍ଷା କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଓ ଜୁଡ଼ିଆ ଘାଟିର ଏକାଧିକ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖସି ରାସ୍ତାରେ ପଡ଼ିଛି।

କେନ୍ଦୁଝର: ଲଘୁଚାପଜନିତ ଲଗାଣ ବର୍ଷା କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଓ ଜୁଡ଼ିଆ ଘାଟିର ଏକାଧିକ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ବଡ଼ ପଥର ଖସି ରାସ୍ତାରେ ପଡ଼ିଛି। ଫଳରେ ଗୋଟିଏ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘାଟିର ପ୍ରାୟ ୭ଟି ସ୍ଥାନରେ ମାଟି ଅତଡ଼ା ଓ ପଥର ଖସିଛି। ରାସ୍ତାର ଅନ୍ୟ ପାର୍ଶ୍ୱ ଦେଇ ଗାଡ଼ିମୋଟର ଚଳାଚଳ କରୁଥିଲେ ବି ବାରମ୍ବାର ପଥର ଖସୁଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଜୁଡ଼ିଆ ଘାଟିରେ ପଡ଼ିଥିବା ମାଟି ଓ ପଥରକୁ ହଟାଇବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ରାସ୍ତା ସଫେଇ ପାଇଁ ୩ଟି ପୋକ୍ଲେନ୍, ୬ଟି ହାଇୱା, ୩ଟି ଜେସିବି ଓ ଗୋଟିଏ ହାଇଡ୍ରା କ୍ରେନ୍ ନିୟୋଜିତ କରାଯାଇଛି। ରାସ୍ତା ସଫା କରିବା ପରେ ମଧ୍ୟ ପୁଣି ପାହାଡ଼ରୁ ବଡ଼ବଡ଼ ପଥର ଖସୁଥିବାରୁ କର୍ମଚାରୀଙ୍କ ପାଇଁ କାମ କରିବା ଚ୍ୟାଲେଞ୍ଜ ହୋଇଛି। ବର୍ଷା ଯୋଗୁଁ ପାହାଡ଼ର ମାଟି ନରମ ହୋଇଯାଇଥିବାରୁ ଆଗକୁ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଆଜି ରାତି ପ୍ରାୟ ୯ଟା ସୁଦ୍ଧା ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ଘଟଣାସ୍ଥଳରେ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ କାର୍ତ୍ତିକ ରେଡ୍ଡୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି।
ସୌଜନ୍ୟ ସମ୍ବାଦ




