ରାଜ୍ୟ

ସରିଲା ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ସରିଲା ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକାଳ। ଦୁଇବର୍ଷର କାର୍ଯ୍ୟକାଳରେ ଶ୍ରୀ ଖୁରାନିଆଙ୍କ ପାଇଁ ଅନେକ ଆହ୍ବାନ ଥିଲା। ନୂଆ ସରକାରରେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଓ ପୁଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୁଲିସ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦୃଢ଼ ନେତୃତ୍ୱ, ସମନ୍ୱିତ ରଣନୀତି, ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, ମାନବସମ୍ବଳର ସଶକ୍ତୀକରଣ ଓ ପୁଲିସ- ଜନସାଧାରଣଙ୍କ ମଧ୍ୟରେ ଆସ୍ଥାର ସୁଦୃଢ଼ୀକରଣ ଯୋଗୁଁ ଓଡ଼ିଶା ପୁଲିସ ଏକ ଦକ୍ଷ, ସକ୍ରିୟ, ଦାୟିତ୍ୱବାନ ଓ ଅତ୍ୟାଧୁନିକ ପୋଲିସ ବାହିନୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି ବୋଲି ବିଦାୟୀ ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଭୁବନେଶ୍ୱରସ୍ଥିତ ପୁଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖୁରାନିଆ କହିଥିଲେ ଯେ, ଆଗକୁ ଓଡ଼ିଶା ପୁଲିସ ପାଇଁ ୩ଟି ଆହ୍ବାନ ରହିଛି। ସାଇବର ଅପରାଧ, ନିଶାମୁକ୍ତ ଓଡ଼ିଶା ଓ ଉପକୂଳ ସୁରକ୍ଷା। ସାଇବର ଅପରାଧ ମୁକାବିଲା ପାଇଁ ମାନବସମ୍ବଳ ଓ ଥାନା ବୃଦ୍ଧି, ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଓ ଉପକୂଳ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସେ ଆହୁରି କହିଛନ୍ତି, ଓଡ଼ିଶାର ଜନସାଧାରଣ, ପ୍ରଶାସନ ଓ ସୁରକ୍ଷା ବାହିନୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଆଇନଶୃଙ୍ଖଳା ରକ୍ଷା ସହିତ ନାଗରିକଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସର୍ବାଧିକ ପ୍ରାଥମିକତା ଦେଇ ପୁଲିସ ନିଜର କାର୍ଯ୍ୟଶୈଳୀକୁ ଅଧିକ ଜନମୁଖୀ, ପ୍ରଯୁକ୍ତିଭିତ୍ତିକ ଓ ଫଳାଫଳମୁଖୀ କରିବା ଦିଗରେ ଆଗେଇ ଚାଲିଛି। ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ ସହ ତ୍ବରିତ ପଦକ୍ଷେପ, ଦ୍ରୁତ ଓ ବୈଜ୍ଞାନିକ ତଦନ୍ତ, ଉନ୍ନତ ଫୋରେନ୍‌ସିକ୍‌ ବ୍ୟବସ୍ଥା, ମହିଳା ଓ ଶିଶୁଙ୍କ ସୁରକ୍ଷା ଓ ନିରନ୍ତର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
ଏହି ଅବସରରେ ଓଡ଼ିଶା ପୁଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡିଜିପି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦାୟ ଦିନରେ ସେ ଭାବବିହ୍ବଳ ହୋଇ ପଡ଼ିଥିଲେ। ସେ କହିଥିଲେ, ଅବସର ନେବା ପରେ ମୋ ଦେହରେ ଆଉ ବର୍ଦ୍ଦି ନଥିବ, ଜଣେ ସାଧାରଣ ଲୋକ ହେଇଯାଇଥିବି। ତେଣୁ ଜଣେ ସାଧାରଣ ଲୋକଙ୍କୁ କେମିତି ପୁଲିସ ସହାୟତା କରିବ ସେ ଦିଗରେ ଓଡିଶା ପୁଲିସ ଅନେକ ଯୋଜନା କରିଛି। ୨୦୨୪ ଅଗଷ୍ଟରେ ଡିଜିପି ଭାବେ ଶ୍ରୀ ଖୁରାନିଆ ଦାୟିତ୍ୱ ନେଇଥିଲେ। ପୂର୍ବରେ ସେ ପୁଲିସ ଆୟୁକ୍ତ, କ୍ରାଇମବ୍ରାଞ୍ଚ ଆଇଜି ଓ ବିଭିନ୍ନ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ ତୁଲାଇଛନ୍ତି। ପୁଲିସ ଚାକିରିରେ ସେ ୩୬ ବର୍ଷ ଧରି ସେବା ଯୋଗାଇଛନ୍ତି।
ରାଜ୍ୟରେ ରାହାଜାନି, ଦଙ୍ଗା, ବଳାତ୍କାର, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧ କମିଛି। ୨୦୨୬ ଜାନୁଆରୀରୁ ଜୁନ୍ ମଧ୍ୟରେ ରାହାଜାନି ୨୨.୮%, ଡକାୟତି ୧୪.୨%, ଚୋରି ୮.୬%, ଦଙ୍ଗା ୪.୪%, ହତ୍ୟା ୨.୯% ହ୍ରାସ ପାଇଛି। ଏନ୍‌ଡିପିଏସ୍‌ ମାମଲା ୨୩.୮% ଓ ଏନଫୋର୍ସମେଣ୍ଟ ମାମଲା ୮୭.୫% ବୃଦ୍ଧି ପାଇଛି। ବିଧାନ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହାରରେ ସଫଳତା ମିଳିଛି। ୨୦୨୪ ଜୁଲାଇରୁ ଡିସେମ୍ବର ୨୦୨୫ ମଧ୍ୟରେ ଦଣ୍ଡବିଧାନ ହାର ୮୭.୬ % ରହିଛି। ୨୦୨୫ରେ ରାଜ୍ୟର ସାମଗ୍ରିକ ଦୋଷୀ ସାବ୍ୟସ୍ତ ହାର ୩୭.୯ % ବୃଦ୍ଧି ପାଇଛି। ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ୧,୭୫,୩୨୯ଟି ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ୫୭,୮୮୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ବିଭିନ୍ନ ବର୍ଗରେ ହ୍ରାସ ପରିଲକ୍ଷିତ ହୋଇଛି। ଯୌତୁକଜନିତ ମୃତ୍ୟୁ ୩୭.୯%, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅସଦାଚରଣ ୩୬.୪ %, ଆତ୍ମହତ୍ୟା ୨୩.୧ % ନିର୍ଯାତନା ୧୦.୯ % ହ୍ରାସ ପାଇଛି। ମହିଳା ଓ ଶିଶୁ ସମ୍ପର୍କିତ ମାମଲାର ତଦନ୍ତକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାରଙ୍କ ପକ୍ଷରୁ ୫୦ କୋଟିର ତଦନ୍ତ ପାଣ୍ଠି ମଞ୍ଜୁର କରାଯାଇଛି। ଓଡ଼ିଶା ପୁଲିସର ମାନବ ସମ୍ବଳ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଏହି ଦୁଇ ବର୍ଷରେ ଆଖିଦୃଶିଆ ପଦକ୍ଷେପ ନିଆଯାଇଛି। ପୁଲିସ ବିଭାଗରେ ମୋଟ ୧୭,୪୦୦ଟି ପଦ ଅନୁମୋଦିତ ହୋଇଥିବା ବେଳେ ଗୃହରକ୍ଷୀଙ୍କ ନିମନ୍ତେ ଅତିରିକ୍ତ ୨୫୦୦ଟି ପଦ ସୃଷ୍ଟି କରାଯାଇଛି। ୩ଟି ଓଏସ୍‌ଏସ୍‌ଏଫ୍‌ ବାଟାଲିୟନ୍‌ ପାଇଁ ୩୦୦୯ ପଦ, ଟ୍ରାଫିକ ରୋଡ୍‌ ୱିଙ୍ଗ୍‌ ପାଇଁ ୧୯୯୬ ପଦ, ୧୦ଟି ନୂଆ ଓଡ୍ରାଫ୍‌ ୟୁନିଟ୍‌ ପାଇଁ ୧୦୩୫ ପଦ, ଅତିରିକ୍ତ ଓଆଇଏସ୍‌ଏଫ୍‌ ବାଟାଲିୟନ୍‌ ପାଇଁ ୩୧୨୦ ପଦ, ଇଆର୍‌ଏସ୍‌ଏସ୍‌ର ତୃତୀୟ ପର୍ଯ୍ୟାୟ ପାଇଁ ୪୧୯୫ ପଦ, ୨୦ଟି ନୂଆ ସାଇବର ଥାନା ପାଇଁ ୧୦୬୭ ପଦ ଓ ଏସ୍‌ଏଫ୍‌ଏସ୍‌ଏଲ୍‌ ପାଇଁ ୨୪୭ ପଦ ସୃଷ୍ଟି କରାଯାଇଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button