Megheshwar : ମନ୍ଦିର ଛାତରୁ ଝରୁଛି ପାଣି, ଭିଜୁଛନ୍ତି ମେଘେଶ୍ଵର, ତିନ୍ତୁଛନ୍ତି ପୂଜାରୀ ଓ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୧୮/୮ : ଟଙ୍କପାଣି ରୋଡରେ ଥିବା ବାବା ଶ୍ରୀ ଶ୍ରୀ ମେଘେଶ୍ୱରଙ୍କ ଜଳ ଶୟନ ସରିବା ପରେ ପରେ ଆଉ ଏକ ସମସ୍ୟା ଦେଖାଯାଇଛି। ମେଘେଶ୍ୱର ମନ୍ଦିର ଛାତରୁ ଦିନ ରାତି ଝରୁଛି ବର୍ଷା ପାଣି । ବର୍ଷା ପାଣିରେ ତ ବାବା ଭିଜୁଛନ୍ତି, ତାହା ସହିତ ମନ୍ଦିର ପୂଜାରୀ, ଶ୍ରଦ୍ଧାଳୁ ମଧ୍ୟ ପାଣିରେ ତିନ୍ତୁଛନ୍ତି । ଠାକୁରଙ୍କ ନିକଟରେ ଭୋଗ ଲଗାଇଲେ ସେଥିରେ ବର୍ଷା ପାଣି ମିଶି ଯାଉଛି । ଠାକୁରଙ୍କୁ ବେଶ କଲେ ଫୁଲ, ଚନ୍ଦନ, ବେଲପତ୍ର, ଦୀପ, ଧୂପ ସବୁ ପାଣିରେ ବୋହି ଯାଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପୂଜାରୀ ନିଜ ଆଡୁ ଏକ ଅଭିନବ ବ୍ୟବସ୍ଥା କରିଛନ୍ତି । ବଜାରରୁ କଳା ଜରି ଖଣ୍ଡିଏ କିଣି ସେଥିରେ ସୁତୁଲି ବାନ୍ଧି ଠାକୁରଙ୍କ ଗର୍ଭ ଗୃହରେ ଟାଙ୍ଗିଛନ୍ତି । ମନ୍ଦିର ଛାତରୁ ଝରୁଥିବା ପାଣି ଏହି ଜରିରେ ଭର୍ତ୍ତି ହୋଇଗଲେ ତାହାକୁ ଏକ ବାଉଁଶ ବାଡ଼ିରେ କେଞ୍ଚି ପାଣି ବାଲଟିକୁ କାଢୁଛନ୍ତି । ଏହି ଭଳି ନୀତି ଦିନସାରା ଦେଖିବାକୁ ମିଳୁଛି ।
ଇଏ କେବଳ ଗର୍ଭ ଗୃହ ଛାତର ସମସ୍ୟା ନୁହେଁ । ବର୍ଷା ଜୋରରେ ହେଲେ ମନ୍ଦିର ବେଢାରେ ଥିବା ପୁଷ୍କରିଣୀର ପାଣି ଉଛୁଳି ପଡୁଛି । ସେ ପାଣି ମନ୍ଦିର ବେଢା ବୁଡ଼ାଇ ଦେଉଛି ଓ ଠାକୁରଙ୍କ ନଳା ପଟେ ଯାଇ ଗର୍ଭ ଗୃହରେ ପ୍ରବେଶ କରୁଛି । ପୂଜାରୀ ଆଣ୍ଠୁଏ ପାଣିରେ ଠିଆ ହୋଇ ଠାକୁରଙ୍କ ନୀତି କରୁଛନ୍ତି । ଭୋଗରାଗ କେବଳ ବାହାରେ ଥାଇ ଠାକୁରଙ୍କୁ ସମର୍ପଣ କରୁଛନ୍ତି । ତେବେ ଦୁଇ ଦିନ ହେବ ବାବା ମେଘେଶ୍ୱରଙ୍କ ଗର୍ଭ ଗୃହରେ ଜମିଥିବା ପାଣିକୁ ପମ୍ପ ଲଗାଇ ଶୁଖାଇ ଦିଆଯାଇଛି । ଏହା ବାଦ ସନ୍ଧ୍ୟା ପରେ ମନ୍ଦିର ବେଢା କିଟି କିଟି ଅନ୍ଧାରରେ ବୁଡ଼ି ଯାଉଛି । ପରିଷ୍କାର ପରିଚ୍ଛନ୍ନତା ଅଭାବରୁ ମନ୍ଦିର ପ୍ରାଙ୍ଗଣରେ ଶିଉଳି ଜମୁଥିବାବେଳେ ବିଷାକ୍ତ ସାପ ମଧ୍ୟ ବୁଲୁଥିବା ଦେଖାଯାଉଛି ।
ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସଭାପତି ଅଶୋକ ସିଂହ କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବର୍ଷା ଦିନ ପରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଖୁବଶୀଘ୍ର ମନ୍ଦିରର ସବୁ ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ ! ଅଁଳା ବେଢ଼ା ଉପରକୁ ଚଢ଼ିଗଲେ ଯୁବକ
ସୌଜନ୍ୟ ପ୍ରମେୟ




