CM Vijay: ଦିନକୁ ୨୦ ଘଣ୍ଟା ନନ୍ଷ୍ଟପ୍ ୱାର୍କ, ଭୋର ୪ଟାରୁ ଫୋନ୍ କଲ୍; ସିଏମ୍ ବିଜୟଙ୍କ ବିଜି ସିଡ୍ୟୁଲ୍

ଚେନ୍ନାଇ, ୧୯।୮: ତାମିଲନାଡ଼ୁରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ କାର୍ଯ୍ୟଶୈଳୀକୁ ନେଇ ‘ତମିଲଗା ଭେଟ୍ରୀ କଝଗମ୍’ (ଟିଭିକେ) ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଆଧବ ଅର୍ଜୁନ ଏକ ବଡ଼ ଖୁଲାସା କରିଛନ୍ତି । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୟ ପ୍ରତିଦିନ ୧୮ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି ଏବଂ ତାଙ୍କ ଦିନର ଆରମ୍ଭ ସକାଳ ଭୋର ୪ଟାରୁ ହିଁ ହୋଇଯାଏ ।
ସକାଳ ୪ଟାରୁ ସମୀକ୍ଷା ବୈଠକ:
ମନ୍ତ୍ରୀ ଆଧବ ଅର୍ଜୁନଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀ ବିଜୟ ସକାଳ ୪ଟାରେ ହିଁ ଉଠି ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ଶୀର୍ଷ ଅଧିକାରୀମାନଙ୍କୁ ଫୋନ୍ କରି ସରକାରୀ କାର୍ଯ୍ୟ ଏବଂ ବିଭାଗଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଅପଡେଟ୍ ନେଇଥାନ୍ତି । ମନ୍ତ୍ରୀ ତାଙ୍କର ସାଦାସିଧା ଜୀବନଯାପନ ଏବଂ କାମ ପ୍ରତି ସମର୍ପଣର ପ୍ରଶଂସା କରି ତାଙ୍କୁ ଜଣେ “ରାଜନୈତିକ ସନ୍ନ୍ୟାସୀ” ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନୀ ବିଜୟର ଉତ୍ସବ ପାଳନ କରିବା ବଦଳରେ ଶ୍ରୀ ବିଜୟଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ରାଜ୍ୟର ସମସ୍ୟାଗୁଡ଼ିକର ସମାଧାନ କିପରି କରାଯିବ ଏବଂ ଆଗାମୀ ଦିନରେ କିଭଳି ପଦକ୍ଷେପ ନିଆଯିବ ତାହା ଉପରେ କେନ୍ଦ୍ରିତ ରହିଥାଏ ।
ଏହା ବି ପଢ଼ନ୍ତୁ… Operation Sindoor: ଭାରତୀୟ ଚାହୁଁଥିଲେ ପାକିସ୍ତାନକୁ ଆହୁରି ମାଡ଼ ହେଉ,ଜାଣନ୍ତୁ କିଏ ଏମିତି କହିଲେ ?
ଦୁର୍ନୀତି ଉପରେ ଅଙ୍କୁଶ ଏବଂ ସ୍ୱଚ୍ଛତା:
ସରକାରଙ୍କ ପ୍ରଥମ ୧୦୦ ଦିନ ମଧ୍ୟରେ ଆର୍ଥିକ ଅନିୟମିତତାକୁ ରୋକିବା ଏବଂ ସ୍ୱଚ୍ଛତା ଆଣିବା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତଳସ୍ତରରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଦୁର୍ନୀତିକୁ ସ୍ୱୀକାର କରି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉପରୁ ତଳ ପର୍ଯ୍ୟନ୍ତ ସମଗ୍ର ସିଷ୍ଟମକୁ ସୁଧାରିବାରେ ଲାଗିଛନ୍ତି । ସରକାର ଶୀର୍ଷ ସ୍ତରରୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ବିଜୟ ଅଧିକାରୀମାନଙ୍କୁ ବାରମ୍ବାର କହିଛନ୍ତି ଯେ, ଆର୍ଥିକ ଅନିୟମିତତାକୁ ରୋକିବାକୁ ପଡ଼ିବ ଏବଂ ସମସ୍ତ ସରକାରୀ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବାକୁ ହେବ ।
ସଚିବାଳୟ କାର୍ଯ୍ୟାଳୟର ନବୀକରଣକୁ ନେଇ ବିବାଦ:
ବିରୋଧୀ ଦଳ (ଡିଏମ୍କେ) ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୫.୫୪ କୋଟି ଟଙ୍କା ନବୀକରଣ ଟେଣ୍ଡରକୁ ନେଇ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ ଆଧବ ଅର୍ଜୁନ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି “ବ୍ୟକ୍ତିଗତ ବିଳାସସାମଗ୍ରୀ” ପାଇଁ ନୁହେଁ । ସେ କହିଛନ୍ତି ଯେ, ପୁରୁଣା କାର୍ଯ୍ୟାଳୟରେ ଶୌଚାଳୟ ଏବଂ ଅତିଥିମାନଙ୍କ ବସିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା, ଯାହାକୁ ସୁଧାରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ସୌଜନ୍ୟ ପ୍ରମେୟ




