ରାଜ୍ୟ

Paytm scam : ପେଟିଏମ କରାଇବାର ଆଳ ଦେଖାଇ ମହିଳା ଚା’ଦୋକାନୀଙ୍କ ଆକାଉଣ୍ଟରୁ ୯୦ହଜାର ଚଳୁ

ବେତନଟୀ, ୧୯/୮ : ପେଟିଏମ କରାଇବାର ଆଳ ଦେଖାଇ ମହିଳା ଚା’ ଦୋକାନୀଠାରୁ ୯୦ ହଜାର ଲୁଟ୍‌ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଛକରେ । ଉକ୍ତ ଛକରେ ଚା’ ଦୋକାନ କରିଥିବା ଜନୈକା ଅସହାୟ ବିଧବା ମହିଳାଙ୍କ ଆକାଉଣ୍ଟରୁ ଚଞ୍ଚକତା କରି ୯୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଚଳୁ କରିବାପରେ ଠକାମୀର ଶୀକାର ମହିଳାଙ୍କ ଶାଶୂଙ୍କ ଆକାଉଣ୍ଟ ନମ୍ବରରେ ମଧ୍ୟ ପେ-ଟିଏମ ଖୋଲିବାକୁ ପୁନର୍ବାର ଆସିଥିବା ଦୁଇଜଣ ଆନ୍ତଃଜିଲ୍ଲା ଠକଙ୍କୁ କାବୁକରି ଉତ୍ତମ ମଧ୍ୟମ ଦେବାପରେ ପୁଲିସ ଜିମା ଦିଆଯାଇଛି । ପରେ ପୁଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ସମସ୍ତ ଟଙ୍କା ଫେରାଇଛନ୍ତି । ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ସହର ୧୨ନମ୍ବର ୱାର୍ଡ ଦାମୋଦରପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ସେଠୀଙ୍କ ପୁଅ ଦେବୀପ୍ରସାଦ ସେଠୀ(୨୩) ଏବଂ ସେହି ବାଲେଶ୍ୱର ସହର ଗୋଳାପୋଖରୀ ଅଞ୍ଚଳର ଶେଖ ଇମ୍ରାନଙ୍କ ପୁଅ ଶେଖ ଆୟାନ(୧୮) ।

ସୂଚନା ମୁତାବକ ଦାନ୍ତିଆମୁହାଁ ଛକରେ ସ୍ୱର୍ଗତ ବିକାଶ ପାତ୍ରଙ୍କ ସ୍ତ୍ରୀ ଚାନ୍ଦିନୀ ପାତ୍ର ନିଜର ଶାଶୂ, ଶ୍ୱଶୂରଙ୍କ ସହିତ ଚା’ ଦୋକାନ କରିଥିବା ବେଳେ ଦୈନିକ ଶହଶହ ଗ୍ରାହକ ତଥା ପଥଚାରୀ ଏଠାରେ ଅଟକିଥାଆନ୍ତି । ତେବେ ଅଭିଯୁକ୍ତ ଦ୍ୱୟ କିଛିଦିନ ପୂର୍ବରୁ ଦାନ୍ତିଆମୁହାଁ ଛକସ୍ଥିତ ଚାନ୍ଦିନୀ ପାତ୍ରଙ୍କ ଦୋକାନକୁ ଚା’ପିଇବାକୁ ଯାଇଥିଲେ । ଚଳିତମାସ ୧୩ତାରିଖରେ ଦେବୀପ୍ରସାଦ ନିଜକୁ ପେ-ଟିଏମ ସଂସ୍ଥାର ସେଲ୍ସ ଏକଜିକ୍ୟୁଟିଭ ବୋଲି ପରିଚୟ ଦେଇ ଚାନ୍ଦିନୀଙ୍କ ନାମରେ ପେ-ଟିଏମ ଖୋଲିଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ଚାନ୍ଦିନୀ ବିଶ୍ୱାସରେ ନିଜର ବ୍ୟାଙ୍କର ଆକାଉଣ୍ଟ ନମ୍ବର ଏବଂ ଆଧାରକାର୍ଡ ଦେବାସହିତ ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ଦେଇଥିଲେ । ଏହାପରେ ଦେବୀପ୍ରସାଦ ଚାନ୍ଦିନୀଙ୍କ ନାମରେ ପେ-ଟିଏମ ମଧ୍ୟ ଖୋଲିଦେଇଥିଲେ । ତେବେ ଚଳିତମାସ ୧୪ତାରିଖରେ ୫ହଜାର ଟଙ୍କା, ୧୫ତାରିଖରେ ୩୦ହଜାର ଟଙ୍କା ଏବଂ ୧୭ତାରିଖରେ ୫୫ହଜାର ଟଙ୍କା ଏବଂ ୧୮ତାରିଖରେ ଶହେ ଏକଟଙ୍କା ଲେଖାଏଁକରି ଦୁଇଥରରେ ୨ଅଶହ ୨ଟଙ୍କା ଏହିପରି ସର୍ବମୋଟ ୫ଥରରେ ୯୦ହଜାର ୨ଶହ ୨ଟଙ୍କା ଚାନ୍ଦିନୀ ପାତ୍ରଙ୍କ ଆକାଉଣ୍ଟରୁ ଅନଲାଇନ ଟ୍ରାଞ୍ଜାକ୍ସନ ମାଧ୍ୟମରେ ଟଙ୍କା ଉଠାଯାଇଥିଲା ।

ଏନେଇ ଚାନ୍ଦିନୀ ପାତ୍ରଙ୍କ ମନରେ ସନ୍ଦେହଜାତ ହୋଇଥିବା ବେଳେ ନିଜର ଶାଶୂଙ୍କ ନାମରେ ଆଉଏକ ପେ-ଟିଏମ ଖୋଲିବେ ବୋଲି କହିବାପରେ ଦେବୀପ୍ରସାଦ ନିଜର ସହଯୋଗୀ ସହିତ ମଙ୍ଗଳବାର ଅପରାହ୍ନରେ ଦାନ୍ତିଆମୁହାଁଛକସ୍ଥିତ ଚାନ୍ଦିନୀ ପାତ୍ରଙ୍କ ଚା’ଦୋକାନରେ ପହଞ୍ଚିଥିଲେ । ଏହାପରେ ଚାନ୍ଦିନୀ ଆଖପାଖ ଦୋକାନୀମାନଙ୍କୁ ଡାକିବାପରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଆଖପାଖରୁ ଲୋକମାନେ ଏକଜୁଟ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ବଡଜାମବଣି ଫାଣ୍ଡିଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦୁଇ ଠକ ଯୁବକଙ୍କୁ ଠକିନେଇଥିବା ୯୦ହଜାର ଟଙ୍କା ଫେରସ୍ତ ନଦେବା ପର୍ଯ୍ୟନ୍ତ ପୁଲିସକୁ ହସ୍ତାନ୍ତର କରିବେନାହିଁ ବୋଲି କହିବାପରେ ଉତ୍ତେଜନା ଅଧିକ ବଢିଥିଲା । ଏହାପରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝାକରି ଫାଣ୍ଡିଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ଦୁଇ ଯୁବକଙ୍କୁ ଫାଣ୍ଡିକୁ ଆଣି ପଚରା ଉଚରା କରୁଛନ୍ତି । ଦେବୀପ୍ରସାଦଙ୍କ ବାପା କୃଷ୍ଣଚନ୍ଦ୍ର ସେଠୀ ବାଲେଶ୍ୱର ଟାଉନଥାନା ଅଧୀନ ପରମିଟ ଘାଟ ଫାଣ୍ଡିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ପୁଲିସ ପାଖରେ ସୂଚନା ଦେଇଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଉଭୟ ଦେବୀପ୍ରସାଦ ଏବଂ ଶେଖ ଆୟାନ ବଡଜାମବଣି ଫାଣ୍ଡିରେ ଅଟକ ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜଧାନୀରୁ ପୁଣି ଜବତ ହେଲା ଗୋମାଂସ ; ୫୦ କେଜି ମାଂସ ସହ ଧରାପଡ଼ିଲେ ସ୍ୱାମୀ-ସ୍ତ୍ରୀ​​​​​​​

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button