Meta: ମେଟା ବିରୋଧରେ ୨୯ ରାଜ୍ୟରେ ମାମଲା, ଇନଷ୍ଟା-ଫେସବୁକ୍କୁ ନେଇ ମେଟାର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୧୯।୮: ଆପଣ ଦୈନନ୍ଦିନ ଜୀବନରେ ଇନଷ୍ଟା ଓ ଫେସବୁକ୍ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେରିକାର ୨୯ଟି ରାଜ୍ୟ ମିଳିତ ଭାବେ ଟେକ୍ ଜଏଣ୍ଟ ‘ମେଟା’ ବିରୁଦ୍ଧରେ ଏକ ବିରାଟ ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି । ଏହି ମାମଲାର ପ୍ରଭାବ କେବଳ ଆମେରିକା ନୁହେଁ, ବରଂ ସମଗ୍ର ବିଶ୍ୱର ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି । ମେଟା ଉପରେ ଅଭିଯୋଗ ହୋଇଛି ଯେ, ଏହାର ପ୍ଲାଟଫର୍ମ ଅର୍ଥାତ୍ ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯାହାଦ୍ୱାରା ପିଲା ଏବଂ ଯୁବପିଢ଼ି ଅଧିକରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍କ୍ରିନ୍ ସାମ୍ନାରେ ବାନ୍ଧି ହୋଇ ରହିବେ ।
କୋର୍ଟରେ ଦାଏର ମାମଲା ଅନୁଯାୟୀ, ଅଧିକ ସମୟ ସୋସିଆଲ ମିଡିଆରେ ରହିବା କାରଣରୁ ନାବାଳକ ଏବଂ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର କୁପ୍ରଭାବ ପଡ଼ୁଛି । ବାପାମାଆଙ୍କ ଅନୁମତି ବିନା ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ୨୯ଟି ରାଜ୍ୟର ମେଣ୍ଟ ମଧ୍ୟରୁ କାଲିଫର୍ଣ୍ଣିଆ, କୋଲୋରାଡ଼ୋ, କେଣ୍ଟକି ଏବଂ ନ୍ୟୁ ଜର୍ସି ଭଳି ଚାରୋଟି ପ୍ରମୁଖ ରାଜ୍ୟ କୋର୍ଟରେ କଡ଼ା ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ନାବାଳକମାନଙ୍କ ପାଇଁ କଡ଼ା ବୟସ ଯାଞ୍ଚ ଏବଂ ପ୍ରତିବନ୍ଧକ ଲଗାଯାଉ । ‘ଇନଫିନାଇଟ୍ ସ୍କ୍ରୋଲିଂ’ ଏବଂ ଅଟୋ-ପ୍ଲେ ଭଳି ଆସକ୍ତିକର ସୁବିଧାଗୁଡ଼ିକୁ ହଟାଯାଉ କିମ୍ବା ପରିବର୍ତ୍ତନ କରାଯାଉ ।
୧.୪ ଟ୍ରିଲିୟନ ଡଲାରର ଜରିମାନା ଆଶଙ୍କା !
ଏହି ମାମଲା ଏତେ ଗମ୍ଭୀର ଯେ, ଆଇନଗତ ଆକଳନ ଅନୁଯାୟୀ ମେଟା ଉପରେ ୧.୪ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବିପୁଳ ଜରିମାନା ଲଗାଯିବାର ସମ୍ଭାବନା ରହିଛି । ଏହା ମେଟା କମ୍ପାନୀର ବଜାର ପୁଞ୍ଜି ସହିତ ପ୍ରାୟ ସମାନ । ତେବେ ମେଟା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେମାନେ ପିଲାମାନଙ୍କୁ ଅନଲାଇନ୍ ସୁରକ୍ଷା ଦେବା ପାଇଁ ପୂର୍ବରୁ ଅନେକ ସୁରକ୍ଷା ପଦକ୍ଷେପ ଯେପରିକି ଇନଷ୍ଟାଗ୍ରାମ ଟିନ୍ ଆକାଉଣ୍ଟ ଗ୍ରହଣ କରିଛନ୍ତି । ଏହି ମକଦ୍ଦମାର ଶୁଣାଣି ସମୟରେ ମେଟା କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ଏବଂ ଇନଷ୍ଟାଗ୍ରାମର ପ୍ରମୁଖ ଆଦାମ ମୋସେରି କୋର୍ଟରେ ହାଜର ହୋଇ ଗାୱାହି ଦେବାର ସମ୍ଭାବନା ରହିଛି ।
ଯଦି କୋର୍ଟ ରାଜ୍ୟଗୁଡ଼ିକର ପକ୍ଷକୁ ଗ୍ରହଣ କରନ୍ତି, ତେବେ ଆଗାମୀ ଦିନରେ ଇନଷ୍ଟ୍ରାଗ୍ରାମ ଏବଂ ଫେସବୁକ୍ ର ଇଣ୍ଟରଫେସ୍ ସମ୍ପୂର୍ଣ୍ଣ ବଦଳିଯାଇପାରେ । ଆପଣଙ୍କୁ ଆପ୍ ବ୍ୟବହାର କରିବା ସମୟରେ କିଛି ନୂଆ କଟକଣା ଏବଂ ସୁରକ୍ଷା ନିୟମର ସାମ୍ନା କରିବାକୁ ପଡ଼ିପାରେ । କେବଳ ମେଟା ନୁହେଁ, ୟୁଟ୍ୟୁବ୍ ଭଳି ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବେ ।
ସୌଜନ୍ୟ ପ୍ରମେୟ




