ଜାତୀୟ

Hospital Negligence: ସିଜରିଆନ୍ ପରେ ପେଟରେ ରହିଗଲା ଗ୍ଲୋଭ୍ସ ଓ କାଗଜ ରୁମାଲ ! ୧୯ ବର୍ଷୀୟ ମହିଳା ଗୁରୁତର

ମୁମ୍ବାଇ,୧୯/୦୮; ଅପରେସନ୍ ସରିଲା । ମହିଳା ଏକ ସୁସ୍ଥ ନବଜାତକ ଜନ୍ମ ଦେଲେ । ସିଜରିଆନ ପରେ ସବୁଠିକ୍ ଥିଲା । ପିଲାକୁ ନେଇ ଘରକୁ ଫେରିଥିଲେ ମହିଳା ।ଅଚାନକ ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା । କାହିଁକି ଏପରି ହେଲା ସମସ୍ତ ଦ୍ୱନ୍ଦରେ ପଡିଯାଇଥିଲେ । ଏହାପରେ ଯାହା ସାମ୍ନାକୁ ଆସିଲା ସମସ୍ତ ଆଶ୍ଚର୍ଯ୍ୟ । ମହିଳାଙ୍କ ପେଟରେ ଥିଲା ଗ୍ଲୋଭ୍ସ ଏବଂ କାଗଜ ରୁମାଲ ବା ନାପକିନ୍ । ଡାକ୍ତରଙ୍କ ଅବହେଳା ନେଇ ଏପରି ହୋଇଥିବା ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି । ପରିବାରଙ୍କ ଅଭିଯୋଗ ଅନୁସାରେ ଡାକ୍ତର ସିଜରିଆନ ବେଳେ ମହିଳାଙ୍କ ପେଟରେ ଗ୍ଲୋଭ୍ସ ଏବଂ ନାପକିନ ଛାଡି ଦେଇଛନ୍ତି । କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହାରାଷ୍ଟ୍ରର ବୀଡ୍ ଜିଲ୍ଲା ହସ୍ପିଟାଲରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଚିକିତ୍ସା ଅବହେଳାକୁ ନେଇ ପ୍ରଶ୍ନ ଉଠିଛି ।

ପରିବାରର କାର୍ଯ୍ୟାନୁଷ୍ଠାନ ଦାବି- ସୂଚନା ଅନୁସାରେ, ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାୟକୱାଡଙ୍କର ଗତ ୧ ଅଗଷ୍ଟରେ ବୀଡ୍ ଜିଲ୍ଲା ହସ୍ପିଟାଲରେ ସିଜେରିଆନ୍ ଅପରେସନ୍ ହୋଇଥିଲା । ଅପରେସନ୍ର ଚାରି ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା । କିନ୍ତୁ ଘରକୁ ଫେରିବା ପରେ ସନ୍ଧ୍ୟାଙ୍କର ପ୍ରବଳ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣା ନ କମିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ପେଟ ଭିତରେ କିଛି ଥିବା ସନ୍ଦେହ  କରାଯାଇଥିଲା । ପରେ ସନ୍ଧ୍ୟାଙ୍କୁ ପୁଣେର ସସୁନ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପୁଣି ଅପରେସନ୍ କରାଯାଇଥିଲା । ପରିବାରର ଦାବି ଅନୁସାରେ, ଅପରେସନ୍ ସମୟରେ ତାଙ୍କ ପେଟରୁ ଗ୍ଲୋଭ୍ସ ଏବଂ କାଗଜ ରୁମାଲ ବାହାର କରାଯାଇଥିଲା । ସନ୍ଧ୍ୟାଙ୍କ ସ୍ୱାମୀ ସୂରଜ ଗାୟକୱାଡ ଅଭିଯୋଗ କରିଛନ୍ତି ଯେ, ଡାକ୍ତରମାନଙ୍କ ଅବହେଳା ଯୋଗୁଁ ତାଙ୍କ ପତ୍ନୀଙ୍କ ଅବସ୍ଥା ଏପରି ହୋଇଛି । ସେପଟେ ସନ୍ଧ୍ୟାଙ୍କ ମାଙ୍କ କହିବା ଅନୁସାରେ, ତାଙ୍କ ଝିଅ ନିଜ ଶିଶୁକୁ ଜନ୍ମ ଦେଇଥିଲେ ମଧ୍ୟ ଏବେ ତାଙ୍କ ପାଖରେ ଶିଶୁଟିକୁ କୋଳରେ ଧରିବା ପାଇଁ ମଧ୍ୟ ଶକ୍ତି ନାହିଁ ।

ତଦନ୍ତ ପରେ ହେବ ଆକ୍ସନ- ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ହୋଇଛି । ଜିଲ୍ଲା ସର୍ଜନ୍ଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଡାକ୍ତର ଏବଂ କର୍ମଚାରୀମାନଙ୍କୁ ନୋଟିସ୍ ଜାରି କରାଯାଇଛି । ଘଟଣାର ତଦନ୍ତ କରାଯିବ ଏବଂ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button