Criminal defamation : କେରଳ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ, ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ

ତିରୁଅନନ୍ତପୁରମ, ୧୯/୮ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ ବଦନାମର ସାମ୍ନା କରିବାକୁ ପଡିଥାଏ ତେବେ ଏହି ଆଧାରରେ ଜଣେ ସାମ୍ବାଦିକଙ୍କ ବିରୋଧରେ ଅପରାଧୀକ ମାନହାନି ମକଦ୍ଦମା କରାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ନିକଟରେ ରାୟ ଶୁଣାଇଛନ୍ତି । ଏଥିସହ ଏକ ମାଲୟାଲମ ଗଣମାଧ୍ୟମ ସଂସ୍ଥା ଓ ଏହାର ସମ୍ପାଦନାମଣ୍ଡଳୀ କର୍ମଚାରୀଙ୍କ ବିରୋଧରେ ଦାୟର ଅପରାଧୀକ ମାନହାନି ମାମଲାକୁ ରଦ୍ଦ କରିଦେଇଛନ୍ତି ।
ହାଇକୋର୍ଟର ଜଣକିଆ ବିଚାରପତି ଡକ୍ଟର ସି.ଏସ୍ ଡାୟସ ଏହି ରାୟ ପ୍ରକାଶ କରି କହିଛନ୍ତି ଯେ ସରକାରୀ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟିଂ ଏବଂ ନିଜ ଆଡୁ କରାଯାଇଥିବା ମାନହାନିକାରକ ଦାବି ମଧ୍ୟରେ ସ୍ପଷ୍ଟ ଆଇନଗତ ଅନ୍ତର ରହିଥାଏ । ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୯, ୫୦୧ ଓ ୫୦୨ ଆଧାରରେ କେବଳ ସେହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ଯାହା ଦୁର୍ଭାଗ୍ୟବଶତଃ କିମ୍ବା ଅପରାଧୀକ ଉଦ୍ଦେଶ୍ୟରେ ଭୁଲ ଅଭିଯୋଗ ଅଣାଯାଇଥିବ । ସାର୍ବଜନିକ ରେକର୍ଡ ଆଧାରରେ ସତ୍ୟ ସମାଚାର ପ୍ରକାଶନ କରିବା ଉପରେ ଅପରାଧୀକ ମାନହାନି ଲାଗୁ ହୋଇପାରିବ ନାହିଁ । ଅଭିଯୋଗରେ ଅପରାଧୀକ ମାନହାନି ହେଲା ଭଳି କୌଣସି ତତ୍ତ୍ୱ ନାହିଁ । ପ୍ରକାଶ ପାଇଥିବା ଖବର ପ୍ରାଥମିକ ଭାବେ ଅବକାରୀ ଓ ପୁଲିସ ବିଭାଗର ରେକର୍ଡ ଆଧାରରେ ଛପା ହୋଇଛି । ଯଦି ବି ସରକାରୀ ରେକର୍ଡରୁ ପ୍ରକାଶିତ ଖବର ସାମାନ୍ୟ ଭିନ୍ନ ହୋଇଥିବ ତେବେ ମଧ୍ୟ ସାମ୍ବଦିକ ମାନହାନି କରିବା ଭଳି ଜାଣିଶୁଣି ଖବର ପ୍ରକାଶନ କରିଛନ୍ତି ବୋଲି କୁହାଯାଇପାରିବ ନାହିଁ । ଏହି ମାମଲା ଏକ ମାଲୟାଲମ ଖବରକାଗଜର ମୁଖ୍ୟ ସମ୍ପାଦକ, ସମ୍ପାଦକ ଓ ସାମ୍ବାଦିକଙ୍କ ଦ୍ୱାରା ଦାଖଲ ପିଟିସନ ସହ ଜଡିତ, ଯେଉଁଥିରେ ସେମାନେ ସେମାନଙ୍କ ବିରୋଧରେ ଚାଲିଥିବା ଅପରାଧୀକ ମାନହାନି ମାମଲାର ଅଦାଲତି କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ଲାଗି ଅନୁରୋଧ କରିଥିଲେ ।
ମାମଲାର ଶୁଣାଣି ବେଳେ ଜଷ୍ଟିସ ଡାୟସ କହିଥିଲେ ଯେ କୋର୍ଟ ପ୍ରୋସିଡିଂର ସତ୍ୟନିଷ୍ଠାର ସହ କରାଯାଉଥିବା ରିପୋର୍ଟିଂକୁ ଆଇନ ସୁରକ୍ଷା ଦେଉଥିବା ବେଳେ ଅବକାରୀ ବିଭାଗ କିମ୍ବା ଅନ୍ୟ କୌଣସି ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ମାମଲା ଦାୟର କରାଯିବା ଓ ଗରିଫଦାରୀ ସଂକ୍ରାନ୍ତ ଖବର ପ୍ରକାଶନ କରିବା ଉପରେ ସାମ୍ବାଦିକଙ୍କ ବିରୋଧରେ ମକଦ୍ଦମା ଚଳାଇବାର କୌଣସି ଯଥାର୍ଥତା ନାହିଁ । ହାଇକୋର୍ଟ କହିଛନ୍ତି ଖବର ପ୍ରକାଶନ ପରେ ହୋଇଥିବା ବ୍ୟକ୍ତିଗତ ବଦନାମ କିମ୍ବା ଅପମାନ ସେପର୍ଯ୍ୟନ୍ତ ଅପରାଧ ହୋଇପାରିବ ନାହିଁ, ଯେପର୍ଯ୍ୟନ୍ତ କ୍ଷତି ପହଞ୍ଚାଇବାର ସ୍ପଷ୍ଟ ଅପରାଧୀକ ଉଦ୍ଦେଶ୍ୟ ପ୍ରମାଣିତ ନ ହୋଇଛି । ସମଗ୍ର ବିବାଦ ୨୦୨୦ରେ ଘଟିଥିବା ଏକ ଗିରଫଦାରୀ ମାମଲାରୁ ଆରମ୍ଭ ହୋଇଥିଲା । ସେହି ସମୟରେ କେରଳ ଅବକାରୀ ବିଭାଗ ଜଣେ ବ୍ୟକ୍ତିଙ୍କୁ ୩ ଲିଟର ଦେଶୀ ମଦ ସହ ଗିରଫ କରିଥିଲା । ଜବତ ମଦ ସହ ଅଭିଯୁକ୍ତର ଫଟୋ ଖବରକାଗଜରେ ପ୍ରକାଶ ପାଇଥିଲା । କିନ୍ତୁ ଆବେଦନକାରୀ ଦର୍ଶାଇଥିଲେ କି ତାଙ୍କ ପାଖରୁ ୨.୫ ଲିଟର ମଦ ଜବତ ହୋଇଥିଲା । ଉକ୍ତ ଖବରକାଗଜ ଭୁଲରେ ତାକୁ ୩ ଲିଟର ଦର୍ଶାଇଥିଲା । ତାଙ୍କର ଫଟୋ ମଧ୍ୟ ପ୍ରକାଶ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ମାମଲାରୁ ମୁକୁଳି ଯାଇଥିଲେ ।
ସୌଜନ୍ୟ ପ୍ରମେୟ




