ରାଜ୍ୟ

Rent: ପାଠପଢ଼ା ପାଇଁ ବାରଣ୍ଡା ଭଡ଼ା‌ ୫ଶହ

୪୬ ବର୍ଷ ତଳୁ ବିଦ୍ୟାଳୟ ପ୍ରତିଷ୍ଠା ହେଲାଣି। ନିର୍ମାଣ ହୋଇପାରିଲାନି ସ୍ଥାୟୀକୋଠା, ଭିତ୍ତିଭୂମି। ବହୁବାର ନିବେଦନ ପରେ ୨୦୨୧ରେ ସ୍ଥାୟୀକୋଠା କାମ ଆରମ୍ଭ ହେଲେ ସୁଦ୍ଧା ଅନୁଦାନ ଅଭାବରୁ ତାହା ଅଧପନ୍ତରିଆ ପଡ଼ିଛି।

ମାଲକାନଗିରି: ୪୬ ବର୍ଷ ତଳୁ ବିଦ୍ୟାଳୟ ପ୍ରତିଷ୍ଠା ହେଲାଣି। ନିର୍ମାଣ ହୋଇପାରିଲାନି ସ୍ଥାୟୀକୋଠା, ଭିତ୍ତିଭୂମି। ବହୁବାର ନିବେଦନ ପରେ ୨୦୨୧ରେ ସ୍ଥାୟୀକୋଠା କାମ ଆରମ୍ଭ ହେଲେ ସୁଦ୍ଧା ଅନୁଦାନ ଅଭାବରୁ ତାହା ଅଧପନ୍ତରିଆ ପଡ଼ିଛି। ଅନ୍ୟର ବାରଣ୍ଡାକୁ ମାସିକ ଭଡ଼ାରେ ନେଇ ପାଠପଢ଼ା ଚାଲିଛି। ବାରଣ୍ଡା ଭଡ଼ା ବାବଦ ମାସିକ ୫ଶହ ଟଙ୍କା ନିଜ ଦରମାରୁ ଦେଉଛନ୍ତି ପ୍ରଧାନଶିକ୍ଷକ। ରୋଷେଇ ଘର ନଥିବାରୁ ମଧ୍ୟାହ୍ନ ଭୋଜନ ବାହାରେ
ରାନ୍ଧି ପିଲାଙ୍କୁ ଖାଇବାକୁ ଦିଆଯାଉଛି।

ମାଲକାନଗିରି ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳରେ ଏ ହେଉଛି ଶିକ୍ଷା ବ୍ୟବସ୍ଥା। ଚିତ୍ରକୋଣ୍ଡା ବ୍ଲକ୍‌ ରାଲେଗାଡ଼ା ପଞ୍ଚାୟତ ଶୁଆପାଲି ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୮୦ ପୂର୍ବରୁ ସ୍ଥାପିତ ହୋଇଥିଲା। ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ନିଜସ୍ୱ କୋଠା, ରୋଷେଇ ଘର ଓ ଶୌଚାଳୟ ନିର୍ମାଣ ହୋଇପାରିନି। ୪୬ ବର୍ଷ ହେଲାଣି ଛାତ୍ରଛାତ୍ରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ବିପଦସଙ୍କୁଳ ଓ ଅସ୍ୱାସ୍ଥ୍ୟକର ପରିବେଶରେ ବସି ପାଠ ପଢ଼ୁଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ଏହି ସ୍କୁଲ୍‌ରେ ପୂର୍ବରୁ ବହୁ ପିଲା ପଢ଼ୁଥିଲେ। କିନ୍ତୁ ଭିତ୍ତିଭୂମି ବିକାଶ ନହେବାରୁ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୮କୁ ଖସିଆସିଛି।
ଶିକ୍ଷାଦାନ ଲାଗି ପ୍ରଧାନଶିକ୍ଷକ କଲ୍ୟାଣ ସୂତ୍ରଧର ଓ ଜଣେ ସହକାରୀ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି। ଗ୍ରାମବାସୀଙ୍କ ଦାବି ପରେ ୨୦୨୧ରେ ସ୍ଥାୟୀକୋଠା ନିର୍ମାଣ ପାଇଁ ୧୩.୬୫ ଲକ୍ଷ ଟଙ୍କାର ଅନୁଦାନ ଆସି କୋଠା ଓ ରୋଷେଇ ଘର ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଅନୁଦାନ ନମିଳିବାରୁ ୫ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାନାହିଁ। ଗ୍ରାମବାସୀ ଓ ଅଭିଭାବକ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ସିଆରସିସି ବାବୁଲା କୁମାର ନାୟକ କହିଛନ୍ତି, ଶିକ୍ଷା ବିଭାଗ ଅଧିକାରୀ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି। ଚିତ୍ରକୋଣ୍ଡା ବ୍ଲକ୍‌ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ କହିଛନ୍ତି, ବ୍ଲକ୍‌ରେ ଘର ନଥିବା କିମ୍ବା ଭଗ୍ନ ଅବସ୍ଥାରେ ଥିବା ବିଦ୍ୟାଳୟଗୁଡ଼ିକର ତାଲିକା ପ୍ରସ୍ତୁତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ସମଗ୍ର ଶିକ୍ଷା ବିଭାଗର କନିଷ୍ଠ ଯନ୍ତ୍ରୀ ଶରତ ଚର୍ଚ୍ଚି କହିଛନ୍ତି, ବର୍ତ୍ତମାନ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଛି। ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button