Rakhi: ରାଖୀ ବାନ୍ଧିଲେ ମହାପ୍ରଭୁ: ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି
ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀବଳଭଦ୍ର ୨ଟି ଲେଖାଏଁ ରାଖୀ ଏବଂ ୨ଟି ଲେଖାଏଁ ଗୁଆମାଳ ପରିଧାନ କରିଥିଲେ।

ପୁରୀ: ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ସହ ମାର୍କଣ୍ଡ ପୁଷ୍କରିଣୀରେ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀବଳଭଦ୍ର ୨ଟି ଲେଖାଏଁ ରାଖୀ ଏବଂ ୨ଟି ଲେଖାଏଁ ଗୁଆମାଳ ପରିଧାନ କରିଥିଲେ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଭୋଗମଣ୍ଡପ ସରି ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୋଇଥିଲା। ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତଙ୍କ ଦ୍ବାରା ସର୍ବାଙ୍ଗ ନୀତି ସମ୍ପନ୍ନ କରିବା ପରେ ବୋଇରାଣୀ ପତନି ନୂଆଲୁଗା ଓ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ଧୂପବେଶ ବଢ଼ିଥିଲା। ତିନିଖଣ୍ଡ ଆଜ୍ଞାମାଳ ମଧ୍ୟରୁ ଦୁଇ ଠାକୁରଙ୍କ ଦକ୍ଷିଣ ଭୂଜରେ ଗୋଟିଏ ଏବଂ ବାମ ଭୂଜରେ ଦୁଇଟି ଲାଗି କରାଯାଇଥିଲା।
ପାଟରା ବିଷୋୟୀ ରାଖୀ ପ୍ରସ୍ତୁତ କରି ଯୋଗାଇ ଦେଇଥିବା ବେଳେ ଏହାକୁ ମହାପ୍ରଭୁଙ୍କ ଶ୍ରୀହସ୍ତରେ ପୁଷ୍ପାଳକ ସେବକମାନେ ବାନ୍ଧିଥିଲେ। ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀବଳଭଦ୍ର ଜନ୍ମଗ୍ରହଣ କରିଥିବାରୁ ବଡ଼ ଠାକୁରଙ୍କ ସମ୍ମୁଖରେ ସିଂହାସନ ତଳେ ଅପରାହ୍ଣରେ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାବିଧି ହୋଇଥିଲା। ଶ୍ରୀମଦନମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ। ଆଜ୍ଞାମାଳ ପାଇ ଶ୍ରୀଦେବୀ, ଭୂଦେବୀ ଓ ଶ୍ରୀମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିଥିଲେ। ପରେ ଦଇତାପତି ସେବକମାନେ ଭିତରକୁ ପ୍ରବେଶ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଏକ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ କରାଯାଇଥିଲା। ଦଇତାପତିମାନେ ସୁଦର୍ଶନକୁ ଜଗମୋହନସ୍ଥିତ ଚଉଦୋଳକୁ ବିଜେ କରାଇଥିଲେ। ସେଠାରେ ପତନି ଓ ମାଳଚୂଳ ଲାଗି ହେବା ପରେ ଝୁଲଣ ମଣ୍ଡପ ନିକଟରେ ସୁବର୍ଣ୍ଣ ଓଡ଼ିଆଣି ଓ ହରଡ଼ମାଳି ଲାଗି ହୋଇଥିଲେ।
ସୌଜନ୍ୟ ସମ୍ବାଦ




