ରାଜ୍ୟ

High Court order: କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ: ପରିବହନ ସଚିବ, କମିସନରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍‌ଏଲ୍‌ପି ଖାରଜ ହେବା ପରେ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କ ନି‌ର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଯେତେବେଳେ ଅଦାଲତ ଅବମାନନା ଆବେଦନର ଶୁଣାଣି କରାଯାଉଛି...

କଟକ: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍‌ଏଲ୍‌ପି ଖାରଜ ହେବା ପରେ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କ ନି‌ର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଯେତେବେଳେ ଅଦାଲତ ଅବମାନନା ଆବେଦନର ଶୁଣାଣି କରାଯାଉଛି, ସେତେବେଳେ ଉକ୍ତ ଆଦେଶ ପାଳନ କରିବା ପାଇଁ କିଛି ସମୟ ପ୍ରଦାନ କରିବାକୁ ସ୍ୱାଭାବିକ ଶୈଳୀରେ ସରକାରଙ୍କ ତରଫରୁ ପ୍ରାର୍ଥନା କରାଯାଉଛି। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କୋର୍ଟ ନିରବ ଦର୍ଶକ ସାଜି ପାରିବେ ନାହିଁ ଓ ସରକାରୀ ଅଧିକାରୀଙ୍କ ଇସାରାରେ କାମ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଆଦେଶ କାର୍ଯ୍ୟକାରିତାରେ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତା ବା ଅବହେଳାପୂର୍ଣ୍ଣ ମନୋଭାବ ମଧ୍ୟ ଅଦାଲତ ଅବମାନନାମୂଳକ କାର୍ଯ୍ୟ ବୋଲି ସ୍ପଷ୍ଟ କରିଛନ୍ତି।

ଅଦାଲତ ଅବମାନନା ମାମଲାରେ ନିଜର ଆଚରଣ ସଂକ୍ରାନ୍ତରେ ଏକ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ବାଣିଜ୍ୟ ଓ ପରିବହନ ସଚିବ, ପରିବହନ କମିସନର, ଅର୍ଥ ସଚିବ, ଚଣ୍ଡିଖୋଲ ଆର୍‌ଟିଓ ଓ ଅନ୍ୟମାନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଗଣେଶଚନ୍ଦ୍ର ପାତ୍ରଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ପରିବହନ ବିଭାଗ ଅଧୀନରେ ଯାଜପୁର ଜିଲ୍ଲାରେ ୧୯୯୭ରୁ ଅସ୍ଥାୟୀ ଭାବେ କାର୍ଯ୍ୟ କରି ଆସୁଥିବା ଗଣେଶ ଚନ୍ଦ୍ର ପାତ୍ରଙ୍କୁ ୨୦୧୯ରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ହାଇକୋର୍ଟ ୨୦୨୫, ମେ ୧୩ରେ ଆବେଦନକାରୀଙ୍କୁ ଚାକିରିରେ ପୁନର୍ବାର ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଦାୟର କରିଥିବା ଏସ୍‌ଏଲ୍‌ପି ୨୦୨୬, ଜାନୁଆରି ୧୬ରେ ଖାରଜ ହୋଇଥିଲା। ଅନ୍ୟପକ୍ଷରେ ୨୦୨୫ରୁ ବିଚାରାଧୀନ ଥିବା ଆବେଦନକାରୀଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାରଙ୍କ ତରଫରୁ ସମୟ ଲୋଡ଼ା ଯାଇଥିଲା। ଏସ୍‌ଏଲ୍‌ପି ଖାରଜ ହେବା ପରେ ମଧ୍ୟ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କ୍ଷେତ୍ରରେ ଏଭଳି ବିଳମ୍ବ ଓ ବାରମ୍ବାର ସମୟ ଲୋଡ଼ାଯିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button