Nepal Flood Tragedy: ନେପାଳରେ ଜଳ ପ୍ରଳୟ ,ଉଦ୍ଧାର ଅପେକ୍ଷାରେ ୭ ଓଡ଼ିଆ

ତିହିଡ଼ି, ୨୯\୮ : ନେପାଳର ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଚାନ୍ଦବାଲି ଓ କେରଳର ୫୧ ପର୍ଯ୍ୟଟକ । ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତର କୈଳାସ ବିଶ୍ୱାଳଙ୍କ କୋଲକାତାସ୍ଥିତ କୈଳାସ ଟ୍ରାଭେଲର୍ସ ଜରିଆରେ ଏହି ପର୍ଯ୍ୟଟକମାନେ ନେପାଳ ବୁଲି ଯାଇଥିଲେ । ବର୍ତ୍ତମାନ ସେମାନେ ମନତାମନା ମନ୍ଦିର ନିକଟରେ ଆଶ୍ରୟ ନେଇଛନ୍ତି । କେରଳର ୪୩ ଜଣ, ଟ୍ରାଭେଲର୍ସ ମାଲିକ କୈଳାସ ବିଶ୍ୱାଳ, ୫ ଜଣ ରୋଷେୟା ଓ ଚାନ୍ଦବାଲିର ଟୁନା ଦାଶ, କୋଲକାତାର ସୌରଭ ବାନାର୍ଜୀ ଏମିତି ମୋଟ ୫୧ ଜଣ ସେଠାକାର ତ୍ରିଶୂଳ ନଦୀ ପାଖ ଏକ ଲଜ୍ ରେ ରହିଛନ୍ତି । ସେଠାରୁ ଭିଡିଓ ବାର୍ତ୍ତା ଜରିଆରେ ଆମ ତିହିଡ଼ି ପ୍ରତିନିଧିଙ୍କ ସହ କଥା ହୋଇ ଅଙ୍ଗେ ନିଭାଇଥିବା କରୁଣ କାହାଣୀ ବଖାଣିଛନ୍ତି ।
ବର୍ତ୍ତମାନ ତ୍ରିଶୂଳନଦୀ ଅଧିକ ଭୟଙ୍କର ହୋଇ ପୁଣି ଭୂସ୍ଖଳନ ଜରିଆରେ ପାଣି ମାଡ଼ି ଆସୁଥିବାରୁ ନେପାଳ ପୁଲିସ ଓ ଅଧିକାରୀମାନେ ଏମାନଙ୍କୁ ମନ୍ଦିର ନିକଟରୁ ତୁରନ୍ତ ହଟାଇ ରୋପ ୱେ ଯୋଗେ ଭୈରବା ସିଟିକୁ ନେଇଆସିଛନ୍ତି । ଭୈରବା ସିଟିରେ ଥିବା ଏକ ଛୋଟ ଲଜରେ ଏହି ୫୧ ଜଣ ରହିଛନ୍ତି । ସେମାନେ କାଠମାଣ୍ଡୁ ଯାଇ ପରେ ଅନ୍ୟ ସହରକୁ ବୁଲିଥାନ୍ତେ । ସେମାନଙ୍କ କହିବା ମୁତାବକ ପ୍ରଥମେ ସେମାନେ ତ୍ରିଶୂଳ ନଦୀ ପାଖ ଅଞ୍ଚଳରେ ବୁଲାବୁଲି କରୁଥିଲେ । ରସୁୱା ଜିଲ୍ଲାର ସୀମାନ୍ତ ଲେହନ୍ଦଖୋଲା ଏବଂ ଭୋଟକୋସି ନଦୀ ପ୍ରଣାଳୀ ଦେଇ ବନ୍ୟାଜଳ ତ୍ରିଶୂଳ ନଦୀରେ ପବନ ବେଗରେ ମାଡ଼ିଆସିଲା । ଆମ ଟିମ ଏହି ନଦୀ ଧାରେ ଧାରେ ଗାଡ଼ି ଯୋଗେ କାଠମାଣ୍ଡୁରୁ ଆହୁରି ୨୦୦ କିଲୋମିଟର ଦୂରକୁ ପାର୍ବତ୍ୟ ଅଞ୍ଚଳକୁ ବୁଲିବାକୁ ଯାଇଥାନ୍ତୁ । କିନ୍ତୁ ଅଚାନକ ଏହି ବନ୍ୟା ଆସିଯିବାରୁ ଆମକୁ ସେହି ନଦୀ ପଠା ଉପରୁ ଗାଡ଼ି ବୁଲାଇ ଦ୍ରୁତଗତିରେ ୭୦ କିଲୋମିଟର ରାସ୍ତା ପଛକୁ ଫେରିଆସିଲୁ । ଆମ ପଛେ ପଛେ ମାଡ଼ି ଆସୁଥାଏ ପ୍ରଳୟଙ୍କରୀ ବନ୍ୟା ଓ କାଦୁଆ ମିଶା ପାଣି । ଆମେ ଶେଷରେ ମନତାମନା ମନ୍ଦିରରେ ଆଶ୍ରୟ ନେଲୁ । ସେଠାରେ ଆମକୁ ନେପାଳ ସରକାରଙ୍କ ବରିଷ୍ଠ ପଦାଧିକାରୀ ତୁରନ୍ତ ରେଡଆଲର୍ଟ କରି ଆଜି ମଧ୍ୟାହ୍ନରେ ସେଠାରୁ ରୋପ୍ ୱେ ଯୋଗେ ଭୈରବା ସିଟିକୁ ଫେରାଇ ନେଇଛନ୍ତି । ଟ୍ରାଭେଲର୍ସ ମାଲିକ ଭୈରବା ସିଟିରେ ଏକ ଛୋଟ ଲଜ୍ ନେଇ ସେଠାରେ ୫୧ ଜଣଙ୍କୁ ରାତି ପାଇଁ ଆଶ୍ରୟ କରାଇଛନ୍ତି ବୋଲି କହିଛନ୍ତି ।
ସୌଜନ୍ୟ ପ୍ରମେୟ




