Nepal Flood Impact On India: ନେପାଳ ବନ୍ୟା ପରେ ଭାରତର ଏହି ରାଜ୍ୟ ପାଇଁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୩୧/୦୮: ନେପାଳର ରାସୁୱା ଜିଲ୍ଲା ଦେଇ ପ୍ରବାହିତ ଭୋଟେକୋଶି ନଦୀରେ ଘଟିଥିବା ଭୟାବହ ବନ୍ୟା ସମଗ୍ର ହିମାଳୟ ଅଞ୍ଚଳରେ ବିପର୍ଯ୍ୟୟର ବଢ଼ୁଥିବା ବିପଦକୁ ପୁଣିଥରେ ସାମ୍ନାକୁ ଆଣିଛି। ତିବ୍ଦତ ପାର୍ଶ୍ୱରେ ଏକ ହିମନଦୀ ହଠାତ୍ ଭାଙ୍ଗିଯିବା ପରେ ଜଳ, ବରଫ, କାଦୁଅ ଓ ବିଶାଳ ପଥରର ପ୍ରଚଣ୍ଡ ସ୍ରୋତ ସୃଷ୍ଟି ହୋଇଥିଲା। ଏହି ବିପର୍ଯ୍ୟୟରେ ୩୮୪ ଜଣ ନିଖୋଜ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରେ ପ୍ରାୟ ୧୦୫ ଜଣ ଭାରତୀୟ ପର୍ଯ୍ୟଟକ ଥିବା ଜଣାପଡ଼ିଛି। ଏହା ସହିତ ଅନେକ ଜଳବିଦ୍ୟୁତ ପ୍ରକଳ୍ପ, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଏହି ଘଟଣା ପରେ ବୈଜ୍ଞାନିକ ଓ ବିପର୍ଯ୍ୟୟ ବିଶେଷଜ୍ଞମାନେ ହିମାଳୟ ଅଞ୍ଚଳ ପାଇଁ ସତର୍କତା ଜାରି କରିଛନ୍ତି। ବିଶେଷକରି ଭାରତର ହିମାଳୟ ରାଜ୍ୟଗୁଡ଼ିକ ମଧ୍ୟରୁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟ ଏଭଳି ପ୍ରାକୃତିକ ବିପଦ ପ୍ରତି ଅଧିକ ସମ୍ବେଦନଶୀଳ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
କାହିଁକି ବିପଦରେ ଉତ୍ତରାଖଣ୍ଡ?
ଉତ୍ତରାଖଣ୍ଡ ଓ ନେପାଳ ଭୌଗୋଳିକ ଦୃଷ୍ଟିରୁ ହିମାଳୟର ଏକ ସମାନ ଭୂ-ପ୍ରାକୃତିକ କ୍ଷେତ୍ରର ଅଂଶ। ଏହି ଅଞ୍ଚଳ ଭୂକମ୍ପ, ଭୂସ୍ଖଳନ, ହିମସ୍ଖଳନ, ହଠାତ୍ ବନ୍ୟା ଏବଂ ହିମନଦୀଜନିତ ବିପଦ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ଅଗଷ୍ଟ ୨୬ରେ ନେପାଳରେ ଘଟିଥିବା ବିପର୍ଯ୍ୟୟ ସାଧାରଣ ବନ୍ୟା ନଥିଲା। ହିମନଦୀ ଭାଙ୍ଗିବା ପରେ ବିପୁଳ ପରିମାଣର ଜଳ, ବରଫ, ମାଟି ଓ ପଥର ଅତ୍ୟଧିକ ବେଗରେ ତଳକୁ ଆସିଥିଲା। ଏହାର ପ୍ରଭାବ ବ୍ୟାପକ ଅଞ୍ଚଳରେ ପଡ଼ିବା ସହ ଗ୍ରାମ, ସେତୁ, ରାସ୍ତା ଏବଂ ଜଳବିଦ୍ୟୁତ ପ୍ରକଳ୍ପକୁ ଭାରୀ କ୍ଷତି ପହଞ୍ଚିଥିଲା।
ଉତ୍ତରାଖଣ୍ଡ ମଧ୍ୟ ଏଭଳି ବିପଦର ଅନୁଭବ କରିଛି। ୨୦୧୩ର କେଦାରନାଥ ବିପର୍ଯ୍ୟୟ ଏବଂ ୨୦୨୧ର ଚାମୋଲି ବିପର୍ଯ୍ୟୟ ହିମାଳୟର ଭୌଗୋଳିକ ଦୁର୍ବଳତାର ଦୁଇଟି ବଡ଼ ଉଦାହରଣ। ଏହି ଘଟଣାଗୁଡ଼ିକ ପ୍ରମାଣ କରିଛି ଯେ, ପାହାଡ଼ିଆ ଅଞ୍ଚଳରେ ଅତ୍ୟଧିକ ବର୍ଷା, ହିମନଦୀ ଭାଙ୍ଗିବା କିମ୍ବା ହଠାତ୍ ଜଳପ୍ରବାହ ଅତ୍ୟଳ୍ପ ସମୟ ମଧ୍ୟରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିପାରେ।
ସୌଜନ୍ୟ ପ୍ରମେୟ




