Sadhana Jungle : ଶୁଷ୍କ ଜମିରୁ ବିଶ୍ୱସ୍ତରୀୟ ସବୁଜ ବିପ୍ଲବ, ୭୦ ଏକର ଅନୁର୍ବର ପଡ଼ିଆରେ ‘ସାଧନା ଜଙ୍ଗଲ’, ପୁନଃବନୀକରଣର ଅନନ୍ୟ ଉଦାହରଣ

ପୁଡୁଚେରୀ, ୨/୯ (ଶୁଭ୍ରଜିତ୍ ବଳିଆରସିଂହ) : ଆଜିର ସମୟରେ ଲୋକେ ଜଙ୍ଗଲ କାଟୁଛନ୍ତି, ଚାଷ ଜମିରେ ବିଶାଳ କୋଠା ନିର୍ମାଣ କରୁଛନ୍ତି । ଗାଁରୁ ସହର ମୁହାଁ ହେଉଛନ୍ତି । ହେଲେ କିପରି ପ୍ରକୃତି ସହ ବଞ୍ଚିବା, ପ୍ରକୃତିକୁ ସୁରକ୍ଷା ଦେବା ତା’ର ବାଟ ଦେଖାଉଛନ୍ତି ବିଦେଶୀ । ସହର ମଝିରେ ଛିଡ଼ା ହୋଇଛି ଜଙ୍ଗଲ । ଶୁଷ୍କ ଓ ଅନୁର୍ବର ପଡ଼ିଆ ଭାବେ ପରିଚିତ ୭୦ ଏକର ଜମି ଏବେ ପାଲଟିଛି ସବୁଜ ବନାନୀ ଏବଂ ପରିବେଶ ସଂରକ୍ଷଣର ବିଶ୍ୱସ୍ତରୀୟ ପ୍ରେରଣାସ୍ଥଳୀ ହୋଇଛି “ସାଧନା ଫରେଷ୍ଟ’ । ଏହା ଏକ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ପ୍ରକଳ୍ପ ଜଳ ସଂରକ୍ଷଣ । ଏହା ବିଲୁପ୍ତପ୍ରାୟ ଜଙ୍ଗଲର ପୁନରୁଦ୍ଧାର ଏବଂ ଶୂନ୍ୟ-ଆବର୍ଜନା ଜୀବନଶୈଳୀ ମାଧ୍ୟମରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅରୋଭିଲ୍ ନିକଟରେ ଥିବା ଏହି “ସାଧନା ଫରେଷ୍ଟ’ ଏକ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ- ଆଧାରିତ ପରିବେଶ ଓ ପୁନଃବନୀକରଣ ପ୍ରକଳ୍ପ । ଏହା ଏକ ପରିବେଶ ଅନୁକୂଳ, ସ୍ଥାୟୀ ଜୀବନଶୈଳୀ ଓ ଜଳ ସଂରକ୍ଷଣ କେନ୍ଦ୍ର ଭାବରେ ପରିଚିତ ।
୨୦୦୩ରେ ଅଭିରାମ ରୋଜିନ୍ ଓ ୟୋରିତ କାଲେନ୍ଦ୍ରୋଫଙ୍କ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଆରମ୍ଭ ସମୟରେ ଏହି ପ୍ରାୟ ୭୦ ଏକର ଜମି ସମ୍ପୂର୍ଣ୍ଣ ଶୁଷ୍କ, କ୍ଷୟପ୍ରାପ୍ତ ଓ ଅନୁର୍ବର ଥିଲା । ଏହି ପଡ଼ିଆ ଜମିକୁ ପୁନର୍ବାର ସବୁଜ ବନାନୀରେ ପରିଣତ କରିବା ପାଇଁ ସେମାନେ ଏହି ପଦକ୍ଷେପ ନେଇଥିଲେ । ସମ୍ପୂର୍ଣ୍ଣ ମାଟି କ୍ଷୟ ହୋଇଯାଇଥିବା ଏହି ଅଞ୍ଚଳରେ ଭାରତର ପୂର୍ବ ଉପକୂଳର ବିଲୁପ୍ତପ୍ରାୟ “ଟ୍ରପିକାଲ୍ ଡ୍ରାଏ ଏଭରଗ୍ରୀନ୍ ଫରେଷ୍ଟ’ (ଟିଡିଇଏଫ୍) ର ଦେଶୀୟ ବୃକ୍ଷରୋପଣ ଆରମ୍ଭ କରାଯାଇଥିଲା । ଭାରତରେ ସଫଳତା ପରେ ସାଧନା ଫରେଷ୍ଟର ମଡେଲ୍ ସାଜିଛି । ଏହା ଏବେ ବିଦେଶୀଙ୍କୁ ଆକୃଷ୍ଟ କରୁଛି । ସେମାନେ ଆସୁଛନ୍ତି ଏଠାରେ ରହି ଗବେଷଣା କରୁଛନ୍ତି । ୨୦୧୦ରେ ହାଇତି ଓ ୨୦୧୪ ମସିହାରେ କେନିଆ ଭଳି ମରୁଭୂମି ପ୍ରବଣ ଦେଶଗୁଡ଼ିକୁ ମଧ୍ୟ ସମ୍ପ୍ରସାରିତ ହୋଇଛି । ଏହି ଜଙ୍ଗଲ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତର ପୂର୍ବ ଉପକୂଳର ବିଲୁପ୍ତପ୍ରାୟ ‘ଟ୍ରପିକାଲ୍ ଡ୍ରାଏ ଏଭରଗ୍ରୀନ୍ ଫରେଷ୍ଟ’ର ଦେଶୀୟ ବୃକ୍ଷଗୁଡ଼ିକୁ ରୋପଣ କରି ବନାନୀ ଫେରାଇ ଆଣିବା । ଏଠାରେ ଜଳ ସଂରକ୍ଷଣର ବାଟ ମଧ୍ୟ ଦେଖାଉଛି । ବର୍ଷା ଜଳ ସଂରକ୍ଷଣ ପାଇଁ ସ୍ୱେଲ୍ସ, ବନ୍ଧ ଏବଂ ଛୋଟ ଜଳାଶୟ ବା ପୋଖରୀ ନିର୍ମାଣ କରାଯାଇ ଭୂତଳ ଜଳସ୍ତରକୁ ପୁନଃସକ୍ରିୟ କରାଯାଉଛି । ଏହାର ମୁଖ୍ୟ ବିଶେଷତ୍ୱ ହେଉଛି, ଇକୋ ଫ୍ରେଣ୍ଡଲି ଜୀବନଶୈଳୀ । ଏଠାରେ ସମ୍ପୂର୍ଣ୍ଣ ସୌରଶକ୍ତି ଚାଳିତ ଭିତ୍ତିଭୂମି, ଶୁଷ୍କ କମ୍ପୋଷ୍ଟିଂ ଶୌଚାଳୟ, ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସହ ବାୟୋଡିଗ୍ରେଡେବଲ୍ ସାମଗ୍ରୀ ବ୍ୟବହାର କରି ପରିବେଶ ପ୍ରଦୂଷଣ ମୁକ୍ତ ଜୀବନଶୈଳୀ ଆପଣାଯାଇଛି ।
ସୌଜନ୍ୟ ଧରିତ୍ରୀ




