ଇସ୍ରୋ ଉପରେ ପ୍ରଶ୍ନ ଉଠାଇଲେ ୯ କର୍ମଚାରୀ ସଂଗଠନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଶହେରୁ ଅଧିକ ବୈଜ୍ଞାନିକ ଚାକିରି ଛାଡ଼ି ଘରୋଇ ସଂସ୍ଥାରେ ସାମିଲ ହୋଇଛନ୍ତି। ଏଥିପାଇଁ କର୍ମଚାରୀ ଅଭାବ ଦେଖା ଦେଇଛି। ଇସ୍ରୋର ବିଭିନ୍ନ ପ୍ରକଳ୍ପ ମଧ୍ୟ ଠିକ୍ ସମୟରେ ଶେଷ ହୋଇପାରୁ ନାହିଁ। ମହାକାଶ କ୍ଷେତ୍ରକୁ ସରକାର ଘରୋଇ ଉଦ୍ୟୋଗ ପାଇଁ ଖୋଲିବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି। ବୈଜ୍ଞାନିକମାନେ ସ୍ବେଚ୍ଛାକୃତ ଅବସର କିମ୍ବା ଇସ୍ତଫା ଦେଇ ଇସ୍ରୋ ଛାଡି ଚାଲି ଯାଉଛନ୍ତି। ଏହାକୁ ନେଇ ଇସ୍ରୋର ଆଗାମୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଇସ୍ରୋ ରକେଟ ନିର୍ମାଣ କରି ନ ପାରେ ବୋଲି ମଧ୍ୟ ରିପୋର୍ଟ ଆସିଥିଲା। ଏପରି ସମୟରେ ଇସ୍ରୋର ନଅଟି କର୍ମଚାରୀ ସଂଗଠନ ଏହାର ଅଧ୍ୟକ୍ଷ ଭି.ନାରାୟଣନଙ୍କୁ ଚିଠି ଲେଖିଛନ୍ତି। ସେମାନେ ଘରୋଇକରଣ ଉପରେ ଅଧ୍ୟକ୍ଷଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ନୀତି ଓ ଭବିଷ୍ୟତ ଉପରେ ଲିଖିତ ଜବାବ ଦେବାକୁ କହିଛନ୍ତି। ଗତ ୪ ତାରିଖରେ ଏହି ଚିଠି ଲେଖାଯାଇଥିବାବେଳେ ଶନିବାର ତାହା ସାମନାକୁ ଆସିଥିଲା। କର୍ମଚାରୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ ସରକାରୀ ସଂସ୍ଥାରେ ଘରୋଇ ସହଭାଗିତା ହୋଇପାରେ, ମାତ୍ର ଇସ୍ରୋ ମଜଭୁତ ସଂଗଠନ ହୋଇ ରହିବା ଦରକାର। ଏହାକୁ କେବଳ ଗବେଷଣା ଓ ବିକାଶ ମଧ୍ୟରେ ସୀମିତ କରି ରଖା ନ ଯାଉ। ଏହା ଉପରେ ଇସ୍ରୋ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହି ସଂସ୍ଥାର ଘରୋଇକରଣ କି ପ୍ରଭାବ ହ୍ରାସ ପାଇବ ନାହିଁ ବୋଲି କୁହାଯାଇଛି। ଗବେଷଣା ଓ ବିକାଶ କ୍ଷେତ୍ରରେ ଏହା ଦେଶର ପ୍ରମୁଖ ସଂସ୍ଥା ହୋଇ ରହିବ।
ଏହା ପୂର୍ବରୁ କର୍ମଚାରୀ ସଂଗଠନ ଏନଏସଆଇଏଲ ଓ ଇନ-ସ୍ପେସର ଭୂମିକାକୁ ନେଇ ମଧ୍ୟ ସୂଚନା ମାଗିିଥିଲା। ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ଉତକ୍ଷେପଣ ଯାନର ଡିଜାଇନ, ପରୀକ୍ଷଣ, ଉତକ୍ଷେପଣ ଆଦି କେବଳ ସ୍ବାଭାବିକ କାର୍ଯ୍ୟକଳାପ ନୁହେଁ, ବରଂ ଏହା ଇସ୍ରୋର ଜ୍ଞାନକୌଶଳ କ୍ଷମତା, ସଂସ୍ଥାଗତ ଅଭିଜ୍ଞତା ଓ ରଣନୈତିକ ଶକ୍ତି ମଧ୍ୟ। ଘରୋଇକରଣ ଦ୍ବାରା ଆଗାମୀ ଦିନରେ ଏହା ହ୍ରାସ ପାଇପାରେ। ଘରୋଇ କ୍ଷେତ୍ରକୁ କାମ ମିଳିଲେ ଇସ୍ରୋରେ ପଦ ସଂଖ୍ୟା ହ୍ରାସ ପାଇପାରେ। ନୂଆ ନିଯୁକ୍ତି କମ ହୋଇପାରେ। ପଦୋନ୍ନତି ତଥା କୌଶଳ ବିକାଶର ସୁଯୋଗ ମଧ୍ୟ ସୀମିତ ହୋଇପାରେ। ଲୋକଙ୍କ ଟଙ୍କାରେ ଇସ୍ରୋର ଜ୍ଞାନକୌଶଳ, ପରୀକ୍ଷଣ ସୁବିଧା ଏବଂ ଉତକ୍ଷେପଣ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ତେଣୁ ଏହାକୁ ଘରୋଇ କମ୍ପାନୀଙ୍କୁ ଟେକି ଦେବା ପ୍ରକ୍ରିୟା ସ୍ବଚ୍ଛ ଓ ଉତ୍ତରଦାୟୀ ହେବା ଉଚିତ। ନୀତି ପରିବର୍ତ୍ତନ ପୂର୍ବରୁ କର୍ମଚାରୀଙ୍କୁ ମଧ୍ୟ ଏହାର ସୂଚନା ଦିଆଯିବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଅନ୍ୟପକ୍ଷରେ ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଇସ୍ରୋ ଭିତରୁ ବିଦ୍ରୋହର ସ୍ବର ଉଠୁଛି। ବିକ୍ରମ ସାରା ଭାଇ ଓ ସତୀଶ ଧାବନଙ୍କ ଐତିହ୍ୟକୁ ବ୍ୟବସ୍ଥିତ ଢଙ୍ଗରେ ହଟାଇ ଦିଆଯାଉଛି। ଏହାକୁ ନେଇ ଅନ୍ୟମାନେ ଚୁପ୍ ହୋଇ ରହିବା ଅନୁଚିତ। ଷ୍ଟାର୍ଟଅପକୁ ପ୍ରୋତ୍ସାହନ ନାମରେ କେନ୍ଦ୍ର ସରକାର ଇସ୍ରୋର ଭୂମିକା ହ୍ରାସ କରି ଚାଲିଛନ୍ତି। ଇସ୍ରୋ ଦ୍ବାରା ପ୍ରସ୍ତୁତ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା କ୍ଷମତା ଘରୋଇ କମ୍ପାନୀଙ୍କୁ ଦିଆଯାଉଛି। ଏହାର ଭବିଷ୍ୟତ କ’ଣ ହେବ ତାହା କେହି ଜାଣିନାହାନ୍ତିି।
ସୌଜନ୍ୟ ସମାଜ




