Satya NiketanBuilding Collapse: ଭଗ୍ନାବଶେଷ ତଳେ ‘ଲାଇଫ୍ ଡିଟେକ୍ଟର’ ଓ ସର୍ଚ୍ଚ ଡଗ୍ସ, ୭ ଛାତ୍ରଙ୍କୁ ଜୀବନ୍ତ ଉଦ୍ଧାର କଲା NDRF

ନୂଆଦିଲ୍ଲୀ, ୭।୯: ଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା ବିଶିଷ୍ଟ ଏକ ହଷ୍ଟେଲ୍ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଟିମ୍ ଏବଂ ଯବାନମାନଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ଏହି ଭୟଙ୍କର ଦୁର୍ଘଟଣାରେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଏନଡିଆରଏଫ୍ ପକ୍ଷରୁ ‘ଲାଇଫ୍ ଡିଟେକ୍ଟର’ ଏବଂ ପ୍ରଶିକ୍ଷିତ ‘ସର୍ଚ୍ଚ ଡଗ୍ସ’ର ସହାୟତା ନିଆଯାଇଥିଲା । ଏହାବ୍ୟତୀତ ଡାଇମଣ୍ଡ ଚେନ୍ ସ, ହାଇଡ୍ରୋଲିକ୍ ଜ୍ୟାକ୍, କମ୍ବି କଟର ଏବଂ ପ୍ଲାଜମା କଟର ବ୍ୟବହାର କରି ମଳବା କାଟି ଉଦ୍ଧାର ପଥ ସୃଷ୍ଟି କରାଯାଇଥିଲା । ଏହି ଅପରେସନରେ NDRF ୭ ଜଣ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଜଣେ ଅଚେତ ଯୁବକଙ୍କୁ ପ୍ରାୟ ୧୫ ମିନିଟ୍ ମଧ୍ୟରେ ଏବଂ ଅନ୍ୟ ଦୁଇଜଣ ସଚେତ ବ୍ୟକ୍ତିଙ୍କୁ ପ୍ରାୟ ୩୦ ମିନିଟ୍ ମଧ୍ୟରେ ଭଗ୍ନାବଶେଷ ମଧ୍ୟରୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏନଡିଆରଏଫ୍ ର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୭୦ ଜଣ ଉଦ୍ଧାରକାରୀ କର୍ମଚାରୀ ଭଗ୍ନାବଶେଷ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଦୁଇଟି ଅତିରିକ୍ତ ଟିମକୁ ସଂରକ୍ଷିତ ରଖାଯାଇଥିଲା । ଭଗ୍ନାବଶେଷ ତଳେ ମାନବ ଜୀବନର ଉପସ୍ଥିତି ଚିହ୍ନଟ କରିବା ସବୁଠାରୁ ବଡ଼ ଆହ୍ୱାନ ଥିଲା । ଲାଇଫ୍ ଡିଟେକ୍ଟର ଏବଂ ଡଗ୍ ସ୍କ୍ୱାଡ୍ ଦ୍ୱାରା ମିଳିଥିବା ସଙ୍କେତ ଆଧାରରେ ଯବାନମାନେ ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ଖୋଳାଖୋଳି ଏବଂ କଟିଙ୍ଗ୍ କାର୍ଯ୍ୟ ଆରମ୍ଭ କରିଥିଲେ । ହଷ୍ଟେଲର ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପ୍ରଭାବିତ ସ୍ଥାନ ଚିହ୍ନଟ କରାଯାଇଥିଲା ।
ଭଗ୍ନାବଶେଷ ମଧ୍ୟରେ ଯବାନଙ୍କ ଦ୍ୱାରା ତତ୍ପରତାପୂର୍ଣ୍ଣ ଅଭିଯାନ:
ଭଗ୍ନାବଶେଷ ଭିତରେ ଫସି ରହିଥିବା ବ୍ୟକ୍ତିଙ୍କ ସଠିକ୍ ସ୍ଥାନ ମିଳିବା ପରେ ‘ବ୍ରିଚିଂ’ ଏବଂ ‘କଟିଙ୍ଗ୍ ଟେକ୍ନିକ୍’ ବ୍ୟବହାର କରାଯାଇଥିଲା । କଂକ୍ରିଟ୍ କାଟିବା ପାଇଁ ଡାଇମଣ୍ଡ ଚେନ୍ ସ ବ୍ୟବହାର କରାଯାଇଥିବାବେଳେ, ଭାରି ଅଂଶଗୁଡ଼ିକୁ ହଟାଇବା ପାଇଁ ହାଇଡ୍ରୋଲିକ୍ ଜ୍ୟାକ୍ ଏବଂ କମ୍ବି କଟରର ସହାୟତା ନିଆଯାଇଥିଲା । ଆବଶ୍ୟକତା ସ୍ଥଳେ ପ୍ଲାଜମା କଟର ମଧ୍ୟ ବ୍ୟବହାର କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ସମୟରେ ମଳବା ପୁଣି ଥରେ ଖସି ପଡ଼ିବାର ଆଶଙ୍କା ଏଡ଼ାଇବା ପାଇଁ ହାଇ-ଷ୍ଟ୍ରେନ୍ଥ ଇନଫ୍ଲେଟେବଲ୍ ବ୍ୟାଗ୍ ଏବଂ ସୋରିଂ ଉପକରଣ ଲଗାଯାଇ ଅସ୍ଥିର ଅଂଶଗୁଡ଼ିକୁ ସୁରକ୍ଷିତ କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟର ତଦାରଖ ଏନଡିଆରଏଫ୍ ର ୧୬ତମ ବାଟାଲିୟନର କମାଣ୍ଡିଂ ଅଫିସର ସୁନୀଲ ସିଂହ କରିଥିଲେ । ଭଗ୍ନାବଶେଷ ମଧ୍ୟରେ ଅନ୍ୟ କେହି ଫସି ରହିପାରନ୍ତି ବୋଲି ଆଶଙ୍କା କରି ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଜୀବନର ସାମାନ୍ୟ ଆଭାସ ମିଳିବା କ୍ଷଣି ତୁରନ୍ତ ସେଠାରେ ପହଞ୍ଚି ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଯବାନମାନେ ପ୍ରତ୍ୟେକ ଅଂଶକୁ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ଯାଞ୍ଚ କରୁଥିଲେ ।
ସୌଜନ୍ୟ ପ୍ରମେୟ




