ଜାତୀୟ

Delhi Building Collapse : ବେଡ୍ ପିଛା ୧୨୦୦୦ ଟଙ୍କା ଭଡ଼ା, ହେଉନଥିଲା ରକ୍ଷଣାବେକ୍ଷଣ, ଅବହେଳା ନେଲା କି ୬ ଜୀବନ ?

ନୂଆଦିଲ୍ଲୀ,୦୭/୦୯; ଫାୟାର ଏନଓସି ନଥିଲା । ମେଣ୍ଟେନାନ୍ସ ବି ହୋଇନଥିଲା । ଅନୁମୋଦିତ ପ୍ଲାନ ବି ହୋଇନଥିଲା । ରାଜଧାନୀ ଦିଲ୍ଲୀରେ ଭୁଶୁଡ଼ିଛି ଆଉ ଏକ ‘ମୃତ୍ୟୁ ଅଟ୍ଟାଳିକା’ । ଦିଲ୍ଲୀ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ସତ୍ୟ ନିକେତନ କୋଠା ଭୁଶୁଡ଼ିବା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଦ୍ୱିତୀୟ ଦିନରେ ପହଞ୍ଚିଛି । ଯୁଦ୍ଧକାଳୀନ ଭିତ୍ତିରେ ଏନଡିଆପଏଫ୍ ଓ ଅଗ୍ନିଶମ ବିଭାଗର ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଭଗ୍ନାବଶେଷ ଭିତରେ ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା ବି କରାଯାଉଛି । ବିଲ୍ଡିଂ ମାଲିକଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ତେବେ ଏ ଅଘଟଣକୁ ନୂଆ ଖୁଲାସା ହୋଇଛି । ହେଷ୍ଟଲରେ ବେଡ୍ ପିଛା ୧୨ ହଜାର ଟଙ୍କା ଭଡ଼ା ନିଆଯାଉଥିଲା ହେଲେ ମେଣ୍ଟେନାସ୍ସ ହୋଇଥିଲା । କୋଠାଟି ୪୦-୫୦ ବର୍ଷ ପୁରୁଣା । ରକ୍ଷଣାବେକ୍ଷଣ ହୋଇନଥିବାରୁ ଭୁଶୁଡ଼ି ପଡିଥିବା ଅଭିଯୋଗ ହୋଇଛି । ଏହି ଅବହେଳା ପାଇଁ ୬ଜୀବନ ଦୀପ ଲିଭି ଯାଇଛି । ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଆହୁରି ୫୦ ଜଣ ଫସିଥିବା ଅନୁମାନ କରାଯାଉଛି ।

କୋଠାର ବେସମେଣ୍ଟରେ ମରାମତି କାମ ଚାଲୁଥିଲା ବେଳେ ଦୁର୍ଘଟଣା ଘଟିଛି । ଅଗ୍ନିଶମ ବାହିନୀ, ଏନ୍ଡିଆରଏଫ୍ ଏବଂ ପ୍ରଶାସନିକ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମଧ୍ୟରାତ୍ର ସୁଦ୍ଧା ଉଦ୍ଧାର ଅଭିଯାନ ଜାରି ରହିଥିଲା । ଏଠାରେ ମୁଖ୍ୟତଃ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରହୁଥିଲେ । ମୃତକଙ୍କ ମଧ୍ୟରେ ଛାତ୍ର ଓ ଶ୍ରମିକ ରହିଛନ୍ତି । ଆହତଙ୍କ ମଧ୍ୟରେ ୪ ଛାତ୍ର ଓ ୨ ଜଣ ଶ୍ରମିକ ଅନ୍ତର୍ଭୁକ୍ତ । ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ସେମାନଙ୍କ ଚିକିତ୍ସା ଚାଲିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦୁର୍ଘଟଣା ବେଳେ ଛାତ୍ରମାନେ ରୁମ୍ରେ ଥିଲେ । ବେସମେଣ୍ଟରେ ଖୋଳାଖୋଳି କାମ ଚାଲିଥିଲା । କୋଠାରେ ୨୦-୨୫ ରୁମ୍ ଥିବା ବେଳେ ପ୍ରତି ରୁମ୍ରେ ୨ ଜଣ ଛାତ୍ର ରହୁଥିଲେ । କୋଠା ଭୁଶୁଡ଼ିବା ସମୟରେ ସେଠାରେ ୫୦ରୁ ଅଧିକ ଲୋକ ଥିଲେ । ବେସ୍ ମେଣ୍ଟରେ ବର୍ଷା ପାଣି ଜମିବାରୁ କୋଠାଟି ଦୁର୍ବଳ ହୋଇପଡ଼ିଥିଲା । ଦିଲ୍ଲୀ ୟୁନିଭର୍ସିଟିର ସାଉଥ କ୍ୟାମ୍ପସ୍ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ।କୋଠାର ଭଗ୍ନାବଶେଷ ତଳେ ଫସିଥିବା ଜଣେ ଯୁବକ ଭିଡିଓ ବନାଇ ଉଦ୍ଧାର ପାଇଁ ଅପିଲ୍ କରିଥିଲେ । ତାଙ୍କର ଜଣେ ବନ୍ଧୁ ଏହି ସୂଚନା ଦେଇଛନ୍ତି । ଆଉ କିଛି ଲୋକ ସେମାନଙ୍କ ପରିବାର ଜନଙ୍କୁ ଫୋନ କରି ଉଦ୍ଧାର ପାଇଁ କହିଥିବା ଜଣାପଡ଼ିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button