Chandua Artisans ୧୫୦ ଚାନ୍ଦୁଆ ହସ୍ତଶିଳ୍ପୀଙ୍କୁ ଉପକରଣ ପ୍ରଦାନ
ଓଡ଼ିଶାର ପାରମ୍ପରିକ ଚାନ୍ଦୁଆ ହସ୍ତଶିଳ୍ପକୁ ଆଧୁନିକ ବଜାର ସହ ଯୋଡ଼ିବା ଲକ୍ଷ୍ୟରେ ଖୋର୍ଦ୍ଧାର ୧୫୦ ଜଣ ଚାନ୍ଦୁଆ ହସ୍ତଶିଳ୍ପୀଙ୍କୁ ଉନ୍ନତ ଉପକରଣ କିଟ୍ ପ୍ରଦାନ କରାଯାଇଛି।

ଭୁବନେଶ୍ବର: ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ବଜାର ସହିତ ଯୋଡ଼ିବା ଏବଂ ହସ୍ତଶିଳ୍ପୀଙ୍କ ଉତ୍ପାଦନ କ୍ଷମତା ଓ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଉନ୍ନତ ଉପକରଣ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାର ବନମାଳୀପୁର ଅନ୍ତର୍ଗତ ଭାକରସାହିଠାରେ ଆଜି(ସୋମବାର) ଆୟୋଜିତ ହୋଇଯାଇଛି।
ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବାୟ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଲେ, ଦକ୍ଷହାତ ହେଉଛି ହସ୍ତଶିଳ୍ପର ଶକ୍ତି, ଆଧୁନିକ ଉପକରଣ ସେହି ଶକ୍ତିକୁ ନୂତନ ସଫଳତା ପ୍ରଦାନ କରିବ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଧୀନ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ବସ୍ତ୍ର ମନ୍ତ୍ରଣାଳୟ ରାଜ୍ୟର ୧୨ଟି ଜିଲ୍ଲାରେ ୭ଟି ଭିନ୍ନ ଭିନ୍ନ ହସ୍ତଶିଳ୍ପ ପାଇଁ ୧୨୦୦ଟି ଉନ୍ନତ ଉପକରଣ କିଟ୍ ବଣ୍ଟନ ପାଇଁ ଅନୁମୋଦନ ମିଳିଛି। ଏହି ଯୋଜନାରେ ଚାନ୍ଦୁଆ, କାଠ, ପଥର, ଶିଙ୍ଗ, ଲୌହ, ମୃତ୍ତିକା ଓ ପିତଳ ଧାତୁ ଶିଳ୍ପ ସମେତ ୭ଟି ହସ୍ତଶିଳ୍ପ କ୍ଷେତ୍ରର ଶିଳ୍ପୀମାନେ ଉପକୃତ ହେବେ। ଆଜିର କାର୍ଯ୍ୟକ୍ରମରେ ୧୫୦ ଜଣ ଚାନ୍ଦୁଆ ହସ୍ତଶିଳ୍ପୀଙ୍କୁ ଉନ୍ନତ ଉପକରଣ କିଟ୍ ପ୍ରଦାନ କରାଯାଇଛି ।
ଉତ୍କଳିକାର ସଭାନେତ୍ରୀ ଦେବସ୍ମିତା ସାହୁ କହିଛନ୍ତି, ଚାନ୍ଦୁଆ କାମ ରାଜ୍ୟର ଏକ ସ୍ୱତନ୍ତ୍ର ଓ ପ୍ରସିଦ୍ଧ ହସ୍ତଶିଳ୍ପ ପରମ୍ପରା । ଓଡ଼ିଶାର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପକୁ ଭୌଗୋଳିକ ସଙ୍କେତ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରାପ୍ତ ହୋଇଛି । ଏହା ଓଡ଼ିଶାର ଗର୍ବ ଏବଂ ଏହାର ପ୍ରାମାଣିକତା ଓ ସ୍ୱତନ୍ତ୍ରତାକୁ ସୁରକ୍ଷିତ କରୁଛି। ଉତ୍କଳିକାର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ କେବଳ ଉପକରଣ ପ୍ରଦାନ ନୁହେଁ, ବରଂ ହସ୍ତଶିଳ୍ପୀଙ୍କ ଦକ୍ଷତାକୁ ସଶକ୍ତ କରିବା, ବଜାର ସୁଯୋଗ ବଢ଼ାଇବା ଏବଂ ସେମାନଙ୍କ ଆୟ ଓ ଜୀବନଜୀବିକାକୁ ଅଧିକ ସୁଦୃଢ଼ କରିବାର ଲକ୍ଷ୍ୟ । ଅବଶିଷ୍ଟ ଅନୁମୋଦିତ ଉପକରଣ କିଟ୍ଗୁଡ଼ିକ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବଣ୍ଟନ କରାଯିବ।
ଏହି କାର୍ଯ୍ୟକ୍ରମରେ, ଉତ୍କଳିକା ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର , ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ତଥା ଉତ୍କଳିକା ପରିଚାଳନା ନିର୍ଦ୍ଦେଶିକା ଚିନ୍ମୟୀ ବିଶ୍ଵାଳ , ହସ୍ତଶିଳ୍ପ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି , ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ଉପ ଶାସନ ସଚିବ ତଥା ଉତ୍କଳିକା ସାଧାରଣ ପରିଚାଳକ ଶେଷଦେବ ଖଟୁଆ , କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକ ,ବିକାଶ ଆୟୁକ୍ତ ଭୁବନ ଭାସ୍କର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।
ସୌଜନ୍ୟ ସମ୍ବାଦ




