Scrub typhus: ସ୍କ୍ରବ୍ ଟାଇଫ୍ସ ଚିହ୍ନଟ ଅଞ୍ଚଳକୁ ଯିବ ଡାକ୍ତରୀ ଟିମ୍
ରାଜ୍ୟରେ ସ୍କ୍ରବ୍ ଟାଇଫ୍ସ ଏକ ଅଘୋଷିତ ଜନସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ପଶ୍ଚିମ ଓଡ଼ିଶା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ମଧ୍ୟ ଏହି ରୋଗ ମାଡ଼ି ଗଲାଣି। ଚଳିତବର୍ଷ ଅନୁଗୋଳ ଜିଲ୍ଲାରେ ୩ଜଣ ଓ ବରଗଡ଼ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି।

ଭୁବନେଶ୍ବର: ରାଜ୍ୟରେ ସ୍କ୍ରବ୍ ଟାଇଫ୍ସ ଏକ ଅଘୋଷିତ ଜନସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ପଶ୍ଚିମ ଓଡ଼ିଶା ସହ ଅନ୍ୟ ଜିଲ୍ଲାଗୁଡ଼ିକୁ ମଧ୍ୟ ଏହି ରୋଗ ମାଡ଼ି ଗଲାଣି। ଚଳିତବର୍ଷ ଅନୁଗୋଳ ଜିଲ୍ଲାରେ ୩ଜଣ ଓ ବରଗଡ଼ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି। ଯାହାକୁ ନେଇ ଲୋକଙ୍କ ଭିତରେ ଭୟ ସଞ୍ଚାର ହୋଇଛି। ତେବେ ଏହି ରୋଗର ଚିହ୍ନଟ, ଚିକିତ୍ସା ଓ ପ୍ରତିରୋଧ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ପ୍ରସ୍ତୁତ ହୋଇଛି ନିର୍ଦ୍ଦେଶାବଳୀ, ବଢ଼ାଯିବ ସର୍ଭେଲାନ୍ସ: ସ୍ବାସ୍ଥ୍ୟ ମନ୍ତ୍ରୀ
ଶ୍ରୀ ମହାଲିଙ୍ଗ କହିଛନ୍ତି, ସ୍କ୍ରବ୍ ଟାଇଫ୍ସକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ଅଞ୍ଚଳରେ ଏହି ରୋଗୀ ଚିହ୍ନଟ ହେବେ ସେଠାକୁ ଡାକ୍ତରୀ ଦଳ ପଠାଯାଇ ରୋଗୀଙ୍କ ଚିକିତ୍ସା, ନମୁନା ସଂଗ୍ରହ ଓ ସ୍ଥିତି ନିରୀକ୍ଷଣ କରାଯିବ। ସଂକ୍ରମିତ ଅଞ୍ଚଳରେ ସର୍ଭେଲାନ୍ସକୁ ବଢ଼ାଯିବା ସହ ଜନସାଧାରଣଙ୍କୁ ସଚେତନ କରାଯିବ। ସ୍ଥାନୀୟ ପ୍ରଶାସନ, ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରୀ ଦଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍କ୍ରବ୍ ଟାଇଫ୍ସର ଲକ୍ଷଣ ଦେଖାଦେଲେ ବିଳମ୍ବ ନ କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାନ୍ତୁ। ଠିକ୍ ସମୟରେ ଚିକିତ୍ସା କରାଗଲେ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ସ୍କ୍ରବ୍ ଟାଇଫସ୍କୁ ନେଇ ଜନସାଧାରଣ ଓ ସ୍ବାସ୍ଥ୍ୟ କର୍ମୀଙ୍କ ଭିତରେ ସଚେତନତାର ଅଭାବ ରହିଛି। ୨୦୨୩ ମସିହାରେ ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହୋଇଥିଲେ। କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବା ସହ ମୁକାବିଲା ନେଇ କେତେକ ପରାମର୍ଶ ଦେଇଥିଲେ।
ସୌଜନ୍ୟ ସମ୍ବାଦ




