ମୁନିଗୁଡ଼ା ରେଞ୍ଜରେ ଅଘଟଣ: ଟ୍ରେନ୍ ଧକ୍କାରେ ଦନ୍ତାହାତୀ ମୃତ

ରାୟଗଡ଼ା, ୧୦/୦୯: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡି ଗାଁ ନିକଟରେ ଟ୍ରେନ୍ ଇଞ୍ଜିନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଚାଟିକଣା–ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡି ନିକଟରେ ରେଳଧାରଣା ପାର ହେଉଥିବା ସମୟରେ ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା।ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବନ ବିଭାଗର ସୂଚନା ଅନୁଯାୟୀ, ମୃତ ହାତୀଟି ଗତ କିଛିଦିନ ଧରି କଲ୍ୟାଣସିଂହପୁର ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଥିଲା। ଗତକାଲି ରାତିରେ ହଠାତ୍ ଏହା ମୁନିଗୁଡ଼ା ରେଞ୍ଜ ଅଞ୍ଚଳକୁ ଆସି ରେଳଲାଇନ୍ ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ତେବେ ଦୁର୍ଘଟଣା ସମୟରେ ଟ୍ରେନ୍ର ଗତି କେତେ ଥିଲା, ସେନେଇ ପ୍ରାଥମିକ ତଦନ୍ତ ଚାଲିଛି। ଏହାସହ ମୃତ ହାତୀଟି ସହିତ ଅନ୍ୟ କୌଣସି ହାତୀ ଥିଲେ କି ନାହିଁ, ସେନେଇ ମଧ୍ୟ ବନ ବିଭାଗ କର୍ମଚାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି।ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ହାତୀର ବ୍ୟବଚ୍ଛେଦ କରାଯିବା ପରେ ନିୟମାନୁସାରେ ମୃତଦେହକୁ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ପ୍ରମେୟ




