ରାଜ୍ୟ

Peacock conservation : ରାଜଧାନୀ ଉପକଣ୍ଠରେ ବଢ଼ୁଛି ଜନବସତି, ଲୋପ ପାଇଗଲେଣି ମୟୂର, ଯୋଜନାରେ ରହିଗଲା ଅଭୟାରଣ୍ୟ

ଭୁବନେଶ୍ୱର, ୧୦/୯ (ଅମନ ଆୟୁଷ୍ମାନ ଦାସ): “ମୟୂରରେ ମୟୂର ତୋ ପର ଭାରି ସୁନ୍ଦର, ମେଘ ବରଷିଲେ ଝିପିଝିପି, ନାଚୁ ତୁ ପରକୁ ମେଲାଇ ଦେଇ…” ପିଲା ବେଳେ ମା’ର ଏହି ଗୀତ ଶୁଣୁଶୁଣୁ ନିଦ ଆସିଯାଉଥିଲା । ଭାବନାରେ ମୟୂରର ଛବି ଆସିଯାଉଥିଲା । ପିଲାଦିନର ସେହି ପସନ୍ଦର ପକ୍ଷୀ ମୟୂର ଏବେ ବିପଦରେ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ବର୍ଷବର୍ଷ ଧରି ବାସ କରିଆସୁଥିବା ଏହି ସୁନ୍ଦର ପକ୍ଷୀଙ୍କ ବଂଶ ଧୀରେଧୀରେ ଲୋପ ପାଉଛି । ନା ପ୍ରାକୃତିକ ଉତ୍ସରୁ ଖାଇବାକୁ ମିଳୁଛି, ନା ସୁରକ୍ଷା । ଫଳରେ ସେମାନେ ଏବେ ଭିକ୍ଷୁକଙ୍କ ଭଳି ମଣିଷଙ୍କ ଉପରେ ନିର୍ଭର କଲେଣି । ସକାଳୁ ନେଇ ରାତି ପର୍ଯ୍ୟନ୍ତ ଘର ଆଗରେ ବୁଲିଲେଣି । କାଳେ କେହି କିଛି ଖାଇବାକୁ ଦେବ, ସେଇ ଆଶାରେ ରହିଲେଣି । ମୟୂରଙ୍କ ବାସସ୍ଥଳକୁ ଏବେ ମଣିଷ କବ୍‌ଜା କରିସାରିଲାଣି । ଆଉ କିଛି ବର୍ଷ ଭିତରେ ଉପକଣ୍ଠର ଗାଁ ଓ ଜଙ୍ଗଲ ରାଜଧାନୀ ସହ ମିଶିଯିବ । ଏଣୁ ଭୁବନେଶ୍ୱରର ଆକର୍ଷଣ ଏହି ମୟୂରଙ୍କ ଭବିଷ୍ୟତ ଏବେଠୁ ଅନ୍ଧାର ହୋଇପଡ଼ିଛି । ସତେ ଯେମିତି ସେମାନେ କହୁଛନ୍ତି, ‘ମୋତେ ବଞ୍ଚାଅ’ ।

ମୟୂରଙ୍କ ଗଡ଼ ଥିଲା ଭୁବନେଶ୍ୱର । ପୁରୁଣା ଭୁବନେଶ୍ୱରରୁ ନେଇ ପାଇକାରପୁର, ମେଣ୍ଢାଶାଳ ସଂରକ୍ଷିତ ଜଙ୍ଗଲରୁ ନେଇ ଗୋଠପାଟଣା, ଅନ୍ଧାରୁଆ ପର୍ଯ୍ୟନ୍ତ ଲମ୍ବିଥିବା ଜଙ୍ଗଲ ହାତୀଙ୍କ ଆଡ୍ଡା ଥିଲା । ପ୍ରାୟ ୫ ଏକର ପରିମିତ ଜଙ୍ଗଲରେ ହାତୀମାନଙ୍କ ସହ ଥିଲେ ହଜାର ହଜାର ସଂଖ୍ୟାରେ ମୟୂର । ସେମାନଙ୍କ କଳରବରେ ଫାଟି ପଡ଼ୁଥିଲା ଜଙ୍ଗଲ । ବିଶେଷକରି ପାଇକରାପୁର-ମଦନପୁର ନିକଟସ୍ଥ ଦେଉଳିଆ ମୁଣ୍ଡିଆ ଥିଲା ମୟୂରଙ୍କ ଭୂସ୍ୱର୍ଗ । ମୁଣ୍ଡିଆରେ ଥିବା ଛୋଟ ଜଙ୍ଗଲରେ ମୟୂର ବିଚରଣ କରୁଥିଲେ । ସେହି ମୁଣ୍ଡିଆ ଉପରେ ସେମାନେ ଖାଦ୍ୟ ସଂଗ୍ରହ କରନ୍ତି । ମାଟିରୁ ପୋକଜୋକ, ପିମ୍ପୁଡ଼ି, ଝିଟିପିଟି, ଜିଆ, ବିଭିନ୍ନ ଫଳର ମଂଜି, ଧଳା କଅଁଳିଆ ଘାସ ଆଦି ଖାଆନ୍ତି । ଖାଲି ସେତିକି ନୁହେଁ, ଉପକଣ୍ଠ ଘଙ୍ଗାପାଟଣା, ମଦନପୁର, ପାଇକରାପୁର, ଦାସପୁର, ସାମପୁର, ଗୋଠପାଟଣା, ମଳିପଡ଼ା, ଜାଗସରା ଆଦି ଗାଁକୁ ମୟୂରମାନେ ଆସନ୍ତି । ପାଣି ପିଅନ୍ତି, କାଂଜିପାଣି, ଭାତତୋରାଣୀ ଖାଆନ୍ତି । ଗାଁ ଲୋକଙ୍କ ସହ ସେମାନେ ମିଶିଯାଆନ୍ତି, ସତେ ଯେମିତି ସେମାନେ ବି ଜଣେ ଜଣେ ଗ୍ରାମବାସୀ । ଏଥିପାଇଁ ଗାଁ ଲୋକେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଠେଙ୍ଗା ଧରି ଜଗୁଆଳ ହୋଇଯାଆନ୍ତି । ବନ୍ୟଜନ୍ତୁ ଠୁ ନେଇ ଶିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଗ୍ରାମବାସୀଙ୍କ ନଜର ଥାଏ । ଗାଁଲୋକଙ୍କ ଏହି ମହତ ପଦକ୍ଷେପ ପାଇଁ ଆଜି ପର୍ଯ୍ୟନ୍ତ ମୟୂରମାନେ ନିର୍ଭୟରେ ବୁଲୁଛନ୍ତି ।

୧୯୮୭-୮୮ ମସିହାରେ ଏହି ଦେଉଳିଆପାଟଣା ସହ ଯେଉଁ ସ୍ଥାନରେ ମୟୂର ବିଚରଣ କରୁଛନ୍ତି, ତାକୁ ମୟୂର ଅଭୟାରଣ୍ୟ ଭାବେ ଗଢ଼ିତୋଳିବାକୁ ଗାଁଲୋକେ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି । ଏହି ଅଞ୍ଚଳରେ ମୟୂର ଥିବା ଜାଣି ବିଭିନ୍ନ ସମୟରେ ପରିଦର୍ଶକମାନେ ଏଠାକୁ ଆସୁଛନ୍ତି । ହେଲେ ସେମାନେ ମୟୂରଙ୍କୁ ବିସ୍କୁଟ, ପାଉଁରୁଟି, କେକ୍‌ ଖାଇବାକୁ ଦେଉଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଏହି କାରଣରୁ ମୟୂର ଅନ୍ୟ ଉପରେ ଖାଦ୍ୟ ପାଇଁ ନିର୍ଭର କରୁଛନ୍ତି । ବଡ଼କଥା, ମୟୂର ସଂରକ୍ଷଣ ପାଇଁ ସରକାରଙ୍କ କୌଣସି ପଦକ୍ଷେପ ନାହିଁ । ବନ ବିଭାଗର ସୂଚନା ଅନୁସାରେ, ମୟୂର ଗଣନା ପାଇଁ କୌଣସି ନିୟମ ନାହିଁ । ୧୫ବର୍ଷ ତଳେ ଏଠାରେ ୧୦୦୦ରୁ ଅଧିକ ମୟୂର ଥିଲେ । ଏବେ ପ୍ରାୟ ୧୦୦ଟି ଅଛନ୍ତି । ଏବେ ପ୍ରକୃତିର ଏହି ବିରଳ ସୃଷ୍ଟି ଆଜି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି । ବର୍ତ୍ତମାନ ଦେଉଳିଆ ମୁଣ୍ଡିଆକୁ ଜବରଦଖଲକାରୀମାନେ ହଡ଼ପ କରିସାରିଲେଣି । କ୍ରମାଗତ ଭାବରେ ଗଛ କଟା ବି ଚାଲିଛି । ମାଟି ଖୋଳାଯାଉଛି । ଫଳରେ ମୟୂରମାନେ ସେଠାରୁ ସ୍ଥାନାନ୍ତର ହୋଇସାରିଛନ୍ତି । କାଁ ଭାଁ ଗୋଟିଏ ଦୁଇଟି ମୟୂର ବୁଲୁଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button