Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’
ନୂଆ ଖୁସି ଏବଂ ଉତ୍ସାହ ନେଇ ନୂଆଁଖାଇ ଆସିଛି। ନିଜ ଆତ୍ମୀୟଙ୍କୁ ଛାଡ଼ି ଦୂରରେ ରହୁଥିବା ଲୋକେ ପୁଣି ଜନ୍ମମାଟିରେ ଏକାଠି ହୋଇଛନ୍ତି। ଜନ୍ମମାଟିରେ ଲୋକଙ୍କର ଏହି ସମାଗମ ଆଜି ନୂଆ ଆଶା ଏବଂ ନୂଆ ଭାବନା ସୃଷ୍ଟି କରୁଛି।

ଭୁବନେଶ୍ବର: ନୂଆ ଖୁସି ଏବଂ ଉତ୍ସାହ ନେଇ ନୂଆଁଖାଇ ଆସିଛି। ନିଜ ଆତ୍ମୀୟଙ୍କୁ ଛାଡ଼ି ଦୂରରେ ରହୁଥିବା ଲୋକେ ପୁଣି ଜନ୍ମମାଟିରେ ଏକାଠି ହୋଇଛନ୍ତି। ଜନ୍ମମାଟିରେ ଲୋକଙ୍କର ଏହି ସମାଗମ ଆଜି ନୂଆ ଆଶା ଏବଂ ନୂଆ ଭାବନା ସୃଷ୍ଟି କରୁଛି। ଛୋଟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଉଛନ୍ତି। ଖାଲିଖାଲି ଲାଗୁଥିବା ପରିବାରରେ ଏବେ ପୂର୍ଣ୍ଣତା ଦେଖାଯାଉଛି। ଗାଁ ଦାଣ୍ଡରେ ବୟସ୍କମାନେ ତାସ୍ ଖେଳୁଥିବା ବେଳେ ପଡ଼ିଆରେ ଯୁବକମାନେ କ୍ରିକେଟ୍ ଖେଳିବାରେ ବ୍ୟସ୍ତ ଦେଖାଯାଉଛନ୍ତି। କେବଳ ଏତିକି ନୁହେଁ ବହୁ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଭଲ ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ସହିତ ଅନ୍ୟ ଫସଲ ହସୁଛି। ପ୍ରତିବର୍ଷ ତୁଳନାରେ ଏଥରର ନୂଆଁଖାଇ ଅଲଗା ଅନୁଭବ ହେଉଛି।
ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ ହେଉଛି। ସେଥି ମଧ୍ୟରୁ କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ଅନ୍ୟତମ। ଏହି ପର୍ବ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ବଲାଙ୍ଗୀରର ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ ଏବଂ ସୋନପୁରର ମା’ ସୁରେଶ୍ବରୀଙ୍କ ଠାରେ ନୂଆଁ ଲାଗି ହେଉଛି। ନୂଆଁ ଧାନରୁ ପ୍ରସ୍ତୁତ ଭୋଗ ଇଷ୍ଟଦେବୀଙ୍କୁ ଅର୍ପଣ କରାଯାଉଛି। ଇଷ୍ଟ ଦେବୀଙ୍କୁ ଯେଉଁ ଭୋଗ ଅର୍ପଣ କରାଯାଏ, ତାହା ‘ନବାର୍ଣ୍ଣ’ ନାମରେ ଅଧିକ ପରିଚିତ। ଦେହୁରୀ ନବାର୍ଣ୍ଣକୁ ଅର୍ପଣ କଲା ପରେ ଭୋଗ ରୂପେ ଅନ୍ୟ ସମସ୍ତଙ୍କୁ ବାଣ୍ଟିଥାନ୍ତି। ଘରେ ଆୟୋଜିତ ପୂଜାରେ ନୂଆ ଲାଗି ହେଲା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି।
ସୌଜନ୍ୟ ସମ୍ବାଦ




