Nuakhai 2026: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମହକୁଛି ଗାଁଠୁ ସହର, ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲାଗି ହେବ ନବାନ୍ନ

ସମ୍ବଲପୁର,୧୫/୦୯ : ମହାର୍ଘ୍ୟ ମୁହୂର୍ତ୍ତ ନିକଟତର । ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ପଶ୍ଚିମ ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଫେରିବା ପରେ ଘର ଉଠୁଛି ପଡୁଛି । ପିଠାପଣା ଆସରରେ ଘର ଅଗଣ ମହକି ଉଠିଛି । ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ, ଅଣଜଳସେଚିତ ଅଞ୍ଚଳରେ ଏବର୍ଷ ପ୍ରବଳ ବର୍ଷା ସତ୍ତେ୍ୱ ପଞ୍ଜୀକରଣ ସମସ୍ୟା ଓ ସାର ଅଭାବକୁ ନେଇ ଚାଷୀ ମନରେ ସେଭଳି ସରାଗ ଦେଖିବାକୁ ମିଳୁନାହିଁ । ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ ଭରି ଏହି ମାଟିର ପର୍ବକୁ ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଚାଷୀ ।
ମଙ୍ଗଳବାର ପବିତ୍ର ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଆହ୍ୱାନରେ ପଣ୍ଡିତଙ୍କ ଦ୍ୱାରା ଏବର୍ଷ ତୁଳା ଲଗ୍ନ, ମକର ନବାଂଶରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ ନବାନ୍ନ । ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ତଥା ତୁଳା ଲଗ୍ନ ମକର ନବାଂଶେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ବର୍ଷର ପ୍ରଥମ ଅମଳ ଶସ୍ୟ ପ୍ରସ୍ତୁତ ଭୋଗ ବା ନବାନ୍ନ ଲାଗି ହେବ । ଏହାପରେ ପାଶ୍ୱର୍ ଦେବଦେବୀଙ୍କୁ ନବାନ୍ନ ଲାଗି ହେବ । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବା ଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ଚୂଡାନ୍ତ ହୋଇଛି ।
ସୌଜନ୍ୟ ପ୍ରମେୟ




