Monsoon Update: ଆସନ୍ତା ୧୯ରୁ ଦେଶରୁ ମୌସୁମୀର ଲେଉଟାଣି, ଓଡ଼ିଶାରେ ବର୍ଷା ଭୟ, ୧୮-୧୯ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର ୧୫/୦୯: ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୧୯ ତାରିଖରୁ ଦେଶରେ ଆରମ୍ଭ ହେବ ମୌସୁମୀ ବାୟୁର ଲେଉଟାଣି । ପ୍ରଥମେ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ବାୟୁ ଅପସାରଣ ହେବ । ଏଥିପାଇଁ ପାଗ ଅନୁକୂଳ ରହିଛି । ପରେ ମୌସୁମୀ ବାୟୁ ଧୀରେ ଧୀରେ ଉତ୍ତର-ପଶ୍ଚିମ ଭାରତରୁ ବିଦାୟ ନେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯଦି ଧାର୍ଯ୍ୟ ସମୟରେ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୁଏ, ତେବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇପାରେ ମୌସୁମୀ । ସାଧାରଣତଃ ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରଣ କରିଥାଏ ।
ମୌସୁମୀର ଲେଉଟାଣି ପୂର୍ବରୁ ଓଡ଼ିଶାକୁ ଘାରିଛି ବର୍ଷା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷାର ପରିମାଣ । ଏପଟେ ମୌସୁମୀ ନିମ୍ନଚାପ ରେଖା ଏବେ ଓଡ଼ିଶା ନିକଟରେ ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ୧୮ ଓ ୧୯ ତାରିଖରେ ଅଧିକ ବର୍ଷା ଆଶଙ୍କା ରହିଛି । କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖରେ ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ସୌଜନ୍ୟ ପ୍ରମେୟ




