ରାଜ୍ୟ

Bhitarkanika: ଭିତରକନିକାକୁ ଫେରିଲେ ବାଇ ଚଢ଼େଇ: ପର୍ଯ୍ୟଟକଙ୍କୁ ବିମୋହିତ କରୁଛି ଝୁଲନ୍ତା ବସା

ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବାଇ ଚଢ଼େଇ ଏବେ ଭିତରକନିକାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ପ୍ରାୟତଃ ଦେଖିବାକୁ ମିଳୁ ନ ଥିବା ବାଇ ଚଢ଼େଇଙ୍କ କିଚିରିମିଚିରି ଶବ୍ଦ...

ରାଜନଗର: ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବାଇ ଚଢ଼େଇ ଏବେ ଭିତରକନିକାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ପ୍ରାୟତଃ ଦେଖିବାକୁ ମିଳୁ ନ ଥିବା ବାଇ ଚଢ଼େଇଙ୍କ କିଚିରିମିଚିରି ଶବ୍ଦ, ବସା ତିଆରି କରିବା, ଉଡ଼ିବାର ନିଆରା ଦୃଶ୍ୟ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି।

ବାଙ୍କୁଆଳ, ଡାଙ୍ଗମାଳ, ରିଘାଗଡ଼, ଖୋଳା, ଦିବାକରପୁର ଅଞ୍ଚଳର ନଡ଼ିଆ, ତାଳ ଓ ଖଜୁରି ଗଛରେ ଶହଶହ ବାଇ ଚଢ଼େଇ ବସା କରିଛନ୍ତି। ସୂକ୍ଷ୍ମ କାରିଗରୀରେ ତିଆରି ସେମାନଙ୍କ ଝୁଲନ୍ତା ବସା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ଆକାର ଦୃଷ୍ଟିରୁ ବହୁତ ଛୋଟ ପକ୍ଷୀ ଏହି ବାଇ ଚଢ଼େଇଙ୍କର ପରିବେଶ ସୁରକ୍ଷାରେ ବଡ଼ ଭୂମିକା ରହିଛି। ଏହି ପକ୍ଷୀ ଭିତରକନିକାକୁ ଫେରିବା ପରିବେଶ ସୁସ୍ଥ ଥିବାର ସଙ୍କେତ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ବାଇ ଚଢ଼େଇ ମୁଖ୍ୟତଃ ଧାନ ଓ ଅନ୍ୟ ଫସଲର କୀଟ, ପୋକ ଖାଇ ବଞ୍ଚନ୍ତି। ଗୋଟିଏ ବାଇ ଚଢ଼େଇ ପ୍ରତିଦିନ ଶହଶହ କୀଟ ଖାଇଦେଇଥାଏ। ଏହା ଚାଷୀଙ୍କ କୀଟନାଶକ ବ୍ୟବହାର କମ୍‌ କରିବାରେ ସହାୟକ ହୋଇଥାଏ। ଯେଉଁଠି ବାଇ ଚଢ଼େଇ ଅଛନ୍ତି, ସେ ଅଞ୍ଚଳର ପରିବେଶ ସୁସ୍ଥ ବୋଲି ଧରାଯାଏ।

ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ବଢ଼ିଲେ ଏମାନେ ଉକ୍ତ ସ୍ଥାନ ଛାଡ଼ି ଚାଲିଯା’ନ୍ତି। ଏଥିସହ ତାଳଗଛ କଟାଯିବା, କୀଟନାଶକର ଅତ୍ୟଧିକ ବ୍ୟବହାର, ମୋବାଇଲ୍‌ ଟାୱାର୍‌ ରେଡିଏସନ୍‌ ଯୋଗୁଁ କିଛିବର୍ଷ ହେବ ଭିତରକନିକା ଅଞ୍ଚଳରେ ବାଇ ଚଢ଼େଇ ବସା ଦେଖିବାକୁ ମିଳୁ ନ ଥିଲା। ତେବେ ଲୁଣା ଜଙ୍ଗଲର ସୁରକ୍ଷା ଓ ପ୍ରଦୂଷଣ କମିବାରୁ ଏମାନେ ପୁଣି ଫେରିଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ପରିବେଶବିତ୍‌ ପ୍ରଦୀପ ନାୟକ କହିଛନ୍ତି ଯେ ଭିତରକନିକାକୁ ବାଇ ଚଢ଼େଇ ଅଧିକ ସଂଖ୍ୟାରେ ଫେରିବା ଓ ବସା କରିବା ପରିବେଶ ପାଇଁ ଶୁଭ ସଙ୍କେତ। ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button