ରାଜ୍ୟ

Cyclone Fear: ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ଆଜି ଅବପାତ, ଗଞ୍ଜାମ-ପୁରୀ ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର,୨୧/୦୯: ଉତ୍ତର  ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ  କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ  ଦିଗକୁ ମୁହାଁଇଛି । ସୋମବାର ସୁଦ୍ଧା  ଏହା ଅବପାତରେ ପରିଣତ ହେବ ।  ୨୨ ତାରିଖରେ ଗଭୀର ଅବପାତ ରୂପ  ନେବ । ଏହା ପୁଣି ୨୩ ତାରିଖ ସକାଳେ  ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ,  ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଛୁଇଁବ । ଏହା ପ୍ରଭାବରେ  ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଯାଏ ପ୍ରବଳ  ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ବାତ୍ୟା ରୂପ ନେବା ଆଶା  କ୍ଷୀଣ । ଯଦି ସମୁଦ୍ରରେ ଅନୁକୂଳ  ବାତବରଣ ରୁହେ, ତେବେ ଛୋଟ  ବାତ୍ୟାରେ ପରିଣତ ହୋଇ ଦ୍ରୁତ  ଗତିରେ ଦୁର୍ବଳ ହୋଇଯିବ ବୋଲି କୃଷି  ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ  ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗ କିନ୍ତୁ ଏ ନେଇ  ରବିବାର ସୁଦ୍ଧା କୌଣସି ପୂର୍ବାନୁମାନ  ଦେଇ ନାହିଁ । ଡକ୍ଟର ପଶୁପାଳକଙ୍କ  ଆକଳନ କହୁଛି,  ଗଭୀର ଅବପାତ   ଗଞ୍ଜାମ-ଶ୍ରୀକାକୁଲମ କିମ୍ବା ପୁରୀ ଗଞ୍ଜାମ ଉପକୂଳ ଦେଇ ୨୩ କିମ୍ବା ୨୪  ତାରିଖ ବେଳକୁସ୍ଥଳଭାଗରେ ପ୍ରବେଶ  କରିବା ସମ୍ଭାବନା ରହିଛି । ସମୁଦ୍ର  ଜଳସ୍ତର ଗରମ ରହିଛି । ଏବଂ ଆର୍ଦ୍ରତା ବି ଅଧିକ ରହିଛି । କିନ୍ତୁ ପଶ୍ଚିମ  ବଙ୍ଗୋପସାଗରରେ ପବନର ଚାପ କମ୍‌ ରହିଛି, ଯାହା  ଅବପାତର ଶକ୍ତିବୃଦ୍ଧିକୁ ରୋକିପାରେ ।

ପାଣିପାଗ ବିଭାଗ କହୁଛି, ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଓ  ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବିଜୁଳି,  ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ  ବହିବାର ସମ୍ଭାବନା ରହିଛି ।  ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ,  ମାଲକାନାଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ  ନୟାଗଡ଼ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button