ରାଜ୍ୟ

Family Denied Village Cremation ବାସନ୍ଦ ହୋଇ ଅର୍ଥଦଣ୍ଡ ଦେଇପାରିନଥିଲେ ପରିବାର, ଶବ ପଚିଗଲା କିନ୍ତୁ ମିଳିଲା ନାହିଁ ଗାଁ ଶ୍ମଶାନ

ମୟୂରଭଞ୍ଜ ତିରିଂ ଥାନା ଅଞ୍ଚଳର ବିଂଝୁଆ ଗାଁରେ ଅର୍ଥଦଣ୍ଡ ଦେଇନପାରିବାରୁ ମୃତକଙ୍କ ଶବକୁ ଗାଁ ଶ୍ମଶାନରେ ସତ୍କାର କରିବାକୁ ବାରଣ କରାଯାଇଥିବା ଅଭିଯୋଗ। ୪ ଦିନ ପରେ ରାଇରଙ୍ଗପୁର ମୁକ୍ତିଧାମରେ ଶବ ସତ୍କାର କରାଯାଇଛି।

ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ଗାଁ ପଞ୍ଚୁଆତିର ନିର୍ଦ୍ଦେଶକୁ ଅବମାନନା କରିଥିଲେ ବୋଲି ଶବକୁ ଗାଁ ଶ୍ମଶାନରେ ପୋଡ଼ିବାକୁ ଦିଆଯାଇନଥିଲା। ୫ ବର୍ଷ ପୂର୍ବେ ୫ଶହ ଟଙ୍କା ଅର୍ଥଦଣ୍ଡ ଦିଆଯାଇଥିଲା, ସେତେବେଳେ ଏହା ଦେବାକୁ ଅକ୍ଷମ ଥିଲେ, ବର୍ତ୍ତମାନ ଏହା ବଢ଼ିଯାଇ ୪୦ହଜାର ଟଙ୍କା ହୋଇଯାଇଥିଲା। ଏହି ଟଙ୍କା ମଧ୍ୟ ଦେବାକୁ ଅକ୍ଷମ ଥିଲେ ପରିବାର। ୪ ଦିନ ଗାଁରେ ଶବ ପଡ଼ି ‌ପଚିବା ପରେ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ଅନ୍ୟ ଏକ ସ୍ଥାନରେ ‌ଅନ୍ତିମ ସଂସ୍କାର କରାଯାଇଛି। ଏହି ଘଟଣାକୁ ନେଇ ମୟୂରଭଞ୍ଜ ତିରିଂ ଥାନା ଅଞ୍ଚଳରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

ତିରିଂ ଥାନା ଅନ୍ତର୍ଗତ ବିଂଝୁଆ ଗ୍ରାମର କାରୁ ସୋରେନ୍ (୪୫)ଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ  ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୮ ସେପ୍ଟେମ୍ବର ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହକୁ ପରିବାର ଲୋକ ଗାଁକୁ ଆଣିଥିଲେ।  ତେବେ ପୂର୍ବର ଅର୍ଥଦଣ୍ଡ ଦେଇନଥିବାରୁ ଗାଁ ଶ୍ମଶାନରେ ସତ୍କାର କରିବାକୁ ଗ୍ରାମବାସୀମାନେ ବାରଣ କରିଦେଇଥିଲେ ।
୨୦୨୨ରେ ସେହି ଗାଁର ଏକ ବାସନ୍ଦ ପରିବାରର ବ୍ୟକ୍ତିଙ୍କ ସହିତ କାରୁ ସୋରେନ କଥା ହୋଇଥିଲେ। ଏଣୁ ତାଙ୍କୁ ମଧ୍ୟ ଗ୍ରାମବାସୀମାନେ ବାସନ୍ଦ କରିଥିଲେ । ବାସନ୍ଦ ହଟାଇବା ପାଇଁ ୫ ଶହ ଟଙ୍କା ଅର୍ଥଦଣ୍ଡ ମାଗିଥିଲେ। ଏହି ଟଙ୍କା ଦେବାକୁ ସେ ଅକ୍ଷମ ଥିଲେ । ଉକ୍ତ ୫ ଶହ ଜରିମାନା ଟଙ୍କା ବର୍ତ୍ତମାନ୍ ୪୦ ହଜାର ଟଙ୍କା ହୋଇଛି । ଏହି ଟଙ୍କା ଦେବାକୁ ମଧ୍ୟ କାରୁଙ୍କ ପରିବାର ଅକ୍ଷମ ଥିଲେ। ଶ୍ମଶାନରେ ପୋଡ଼ିନପାରି ପୋତିବା ପାଇଁ ଗାତ ମଧ୍ୟ ଖୋଳାଯାଇଥିଲା । ତଥାପି ଗାଁ ଶ୍ମଶାନରେ ଶବକୁ ପୋତିବାକୁ ଦେଇନଥିଲେ ଗ୍ରାମବାସୀ । ଏନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ କୌଣସି ସହଯୋଗ ମିଳିନଥିଲା । ତେବେ ଶବ ପୋଚି ଦୁର୍ଗନ୍ଧ ହେବାରୁ ଆଜି ବାଧ୍ୟ ହୋଇ ପରିବାର ଲୋକେ ସେଙ୍ଗେଲ ଅଭିଯାନର ସହଯୋଗରେ ରାଇରଙ୍ଗପୁରସ୍ଥ ଖଡଖାଇ ନଦୀ କୂଳରେ ଥିବା ମୁକ୍ତିଧାମରେ ତାଙ୍କ ସାନ ଝିଅ ଛିତା ସୋରେନ୍ ମୁଖଗ୍ନି ଦେଇ ଶବ ସତ୍କାର କରାଯାଇଥିଲା । ଶବ ସତ୍କାର ସମୟରେ ମୃତକଙ୍କ ଝିଅଙ୍କ ସମେତ ଆଦିବାସୀ ସେଙ୍ଗେଲ ଅଭିଯାନର ସଦସ୍ୟ ଜଗନ ଟୁଡୁ, ଜୁ୍ଝାର ଟୁଡୁ, ରାମରାଇ ମାର୍ଣ୍ଡି, ଚନ୍ଦ୍ରମୋହନ ମାଝୀ, ସୁରାଇ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button