ରାଜ୍ୟ

Durga Puja 2026: ଏଥର ନୂଆପଲ୍ଲୀରେ ଆକର୍ଷଣ ସାଜିବ ଭାଟିକାନ୍ ସିଟି ତୋରଣ, ଓଡ଼ିଶାର କଳା ଓ ସଂସ୍କୃତିର ରହିବ ଝଲକ

ଭୁବନେଶ୍ୱର,୨୨/୦୯: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଭିନ୍ନ ଓ ସ୍ୱତନ୍ତ୍ର ତୋରଣ କରିବା ଦୌଡ଼ରେ ପୂଜା କମିଟିଗୁଡ଼ିକ ଦିନରାତି ଏକ କଲେଣି । ମା’ ଆସିବେ ବୋଲି ମନ୍ଦିରଠୁ ପୀଠ, ଘରଠୁ ମଣ୍ଡପ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠିଲାଣି । ସବୁବେଳେ ତୋରଣ ଓ ମା’ଙ୍କ ମୂର୍ତ୍ତିକୁ ନେଇ ଚର୍ଚ୍ଚାରେ ରହୁଥିବା ନୂଆପଲ୍ଲୀ ଦୂର୍ଗାପୂଜା ସମିତି ମଧ୍ୟ ଆରମ୍ଭ କରିଦେଇଛି ଜୋର୍ଦାର ପ୍ରସ୍ତୁତି । ଚଳିତ ବର୍ଷ ଅନୁଷ୍ଠାନ ୩୯ ବର୍ଷରେ ପଦାର୍ପଣ କରୁଛି ।

ରାଜଧାନୀବାସୀଙ୍କୁ ସ୍ୱତନ୍ତ୍ର ଓ ନିଆରା ଅନୁଭୂତି ଦେବା ପାଇଁ ଚଳିତ ବର୍ଷ ରୋମର ଭାଟିକାନ୍ ସିଟି ସଦୃଶ ତୋରଣ ପ୍ରସ୍ତୁତ କରାଯାଉଛି । ତୋରଣ ଆବର୍ଜନାମୁକ୍ତ ତଥା ପରିବେଶ ଅନୁକୂଳ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ତୋରଣ ପ୍ରଦୂଷଣ ମୁକ୍ତ ଫୋରମ୍‌ରେ ନିର୍ମିତ ହେବ ଯେଉଁଥିରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯିବ । ତୋରଣର ଉଚ୍ଚତା ୮୦ ଫୁଟ୍ ରହିଥିବା ବେଳେ ଚଉଡ଼ା ୧୨୫ ଫୁଟ୍ ରହିବ । ଏହି ତୋରଣର ତିଆରି କରିବା ପାଇଁ ୩୦ ଜଣ ବଙ୍ଗୀୟ କାରିଗର ଓ ୧୦ ଜଣ ଓଡିଶା କାରିଗର ଜନ୍ମାଷ୍ଟମୀଠୁ ଲାଗିଛନ୍ତି। ମେଢର ଉଚ୍ଚତା ୨୧ ଫୁଟ ରହିଥିବା ବେଳେ ମା’ଙ୍କ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ୍ ରହିବ ।

 

ସବୁଠାରୁ ଆକର୍ଷଣ ସୃଷ୍ଟି କରିବ ମା’ ଓ ପାଶ୍ୱର୍ଦେବାଦେବୀଙ୍କ ଚାନ୍ଦି ମୁକୁଟ ଓ ଅଳଙ୍କାର । ମା’ଙ୍କ ପୀଠରେ ଷୋଳପୂଜା ଏବଂ ନବରାତ୍ର ପୂଜା କରାଯିବ । ପ୍ରତ୍ୟେକ ଦିନ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ରାମଚରିତ ମାନସ, ଭଜନ ସମାରୋହ, ରାମଲୀଳା ପରିବେଷଣ କରାଯିବ । ଏଥିସହିତ ମେଲୋଡି ଡ୍ୟାନ୍ସ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହେବା ସହିତ ମୀନାବଜର ଆୟୋଜନ କରାଯାଇଛି ବୋଲି ଅନୁଷ୍ଠାନ ସଦସ୍ୟ ପ୍ରେମାନନ୍ଦ ଜେନା, ଜଗନ୍ନାଥ ବେହେରା, ନରେଶ କୁଅଁର, ପବିତ୍ର ବେହେରା, ସଞ୍ଜୟ ମହାନ୍ତି କହିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button