ଦେଶ ବିଦେଶ

Marriage: ଅକ୍ଟୋବର ୨ରେ ‘ବାଲ୍ୟବିବାହମୁକ୍ତ ଗାଁ’ ସଂକଳ୍ପ ନେବେ ସବୁ ଗ୍ରାମ ପଞ୍ଚାୟତ

ଦେଶରୁ ବାଲ୍ୟବିବାହ ପ୍ରଥା ଦୂର କରିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତରେ ଗ୍ରାମସଭା କରି ‘ବାଲ୍ୟବିବାହମୁକ୍ତ ଗାଁ’ ଘୋଷଣା ପାଇଁ ସଂକଳ୍ପ ଗୃହୀତ କରାଇବାକୁ କେନ୍ଦ୍ର ନିର୍ଦ୍ଦେଶ...

ନୂଆଦିଲ୍ଲୀ: ଦେଶରୁ ବାଲ୍ୟବିବାହ ପ୍ରଥା ଦୂର କରିବା ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତରେ ଗ୍ରାମସଭା କରି ‘ବାଲ୍ୟବିବାହମୁକ୍ତ ଗାଁ’ ଘୋଷଣା ପାଇଁ ସଂକଳ୍ପ ଗୃହୀତ କରାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏହା ମାଧ୍ୟମରେ ବାଲ୍ୟବିବାହ ରୋକିବାର ଦାୟିତ୍ୱକୁ ଗ୍ରାମସ୍ତରରେ ଅଧିକ ସୁଦୃଢ଼ କରିବା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ସକ୍ରିୟ କରିବା ଲକ୍ଷ୍ୟ ରହିଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୬ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ନେଇ ଚିଠି ଦେଇଥିଲା। ଗ୍ରାମସଭାରେ ସଂକଳ୍ପ ପାରିତ ହେବା ପରେ ସମ୍ପୃକ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ ଗାଁର ସ୍ଥିତି ଯାଞ୍ଚ କରିବେ। ନିର୍ଦ୍ଧାରିତ ପ୍ରକ୍ରିୟା ପୂରଣ ହେଲେ ଗାଁକୁ ‘ବାଲ୍ୟବିବାହମୁକ୍ତ ଗାଁ ପ୍ରମାଣପତ୍ର’ ଦିଆଯିବ। ଏହି ପ୍ରମାଣପତ୍ରରେ ବ୍ଲକ୍‌ ବିକାଶ ଅଧିକାରୀ, ସରପଞ୍ଚ, ପଞ୍ଚାୟତ ସଚିବ ଓ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ଦସ୍ତଖତ ରହିବ।

ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀ ରାଜ୍ୟଗୁଡ଼ିକର ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବଙ୍କୁ ଦେଇଥିବା ଚିଠିରେ କହିଛନ୍ତି ଯେ, ଏହି ସଂକଳ୍ପ ପାରିତ କରିବା ପ୍ରମାଣପତ୍ର ପାଇଁ ବାଧ୍ୟତାମୂଳକ ମାନଦଣ୍ଡ। ଗ୍ରାମସଭାରେ ଗୃହୀତ ପ୍ରସ୍ତାବକୁ ଠିକ୍‌ ଭାବେ ରେକର୍ଡ କରି ସମ୍ପୃକ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ପଠାଇବାକୁ ମଧ୍ୟ କୁହାଯାଇଛି। ଏହି ପଦକ୍ଷେପ ‘ବାଲ୍ୟ ବିବାହମୁକ୍ତ ଭାରତ ଅଭିଯାନ’ର ଅଂଶ। ସରକାରୀ ତଥ୍ୟ ଅନୁସାରେ, ଦେଶରେ ବାଲ୍ୟବିବାହ ରୋକିବା ପାଇଁ ପଞ୍ଚାୟତ, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ ବିବାହ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଅଭିଯାନରେ ସାମିଲ କରାଯାଉଛି। ‘ବାଲ୍ୟ ବିବାହମୁକ୍ତ ଭାରତ’ ପୋର୍ଟାଲରେ ବାଲ୍ୟବିବାହ ସମ୍ପର୍କିତ ଅଭିଯୋଗ ଦାଖଲ ଓ ସୂଚନା ପ୍ରଦାନର ବ୍ୟବସ୍ଥା ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button