ଇସଲାମାବାଦ: ପାକିସ୍ତାନର ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମୁକ୍ତି ଦାବିରେ ତାଙ୍କ ଦଳ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ସେପ୍ଟେମ୍ବର ୨୭ରେ ଇସ୍ଲାମାବାଦରେ ଲଙ୍ଗ୍ ମାର୍ଚ୍ଚ କରିବାକୁ ଥିବାବେଳେ ରାଜଧାନୀରେ ୨ ମାସ ପାଇଁ ସମସ୍ତ ପ୍ରକାର ସାଧାରଣ ସମାବେଶ ଓ ରାଲି ଉପରେ ନିଷେଧାଦେଶ ଲାଗୁ ହୋଇଛି। ଇସଲାମାବାଦ ପ୍ରଶାସନ ସେପ୍ଟେମ୍ବର ୧୮ରେ ଧାରା ୧୪୪ ଲାଗୁ କରିଥିଲା। ଏହା ତୁରନ୍ତ କାର୍ଯ୍ୟକାରୀ ହୋଇ ୨ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହି ନିଷେଧାଦେଶ ଅନୁସାରେ ରାଜଧାନୀରେ ୫ ଜଣ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ସମାବେଶ, ରାଲି, ଶୋଭାଯାତ୍ରା ଓ ପ୍ରଦର୍ଶନ ଉପରେ ରୋକ୍ ଲଗାଯାଇଛି। ହାଇସିକ୍ୟୁରିଟି ରେଡ୍ ଜୋନ୍ ମଧ୍ୟ ଏହି ନିଷେଧାଦେଶ ଅଧୀନରେ ରହିଛି। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।
ତେବେ ପିଟିଆଇ ନେତାମାନେ ଇମ୍ରାନ୍ଙ୍କ ମୁକ୍ତି ସହ ଆଇନର ଶାସନ ପାଇଁ ଏହି ମାର୍ଚ୍ଚ ହେବ ବୋଲି କହିଛନ୍ତି। ଏହା ପୂର୍ବରୁ ଇସଲାମାବାଦ ହାଇକୋର୍ଟ ସେପ୍ଟେମ୍ବର ୧୪ରେ କହିଥିଲେ ଯେ କୌଣସି ରାଜନୈତିକ ଦଳ କିମ୍ବା ସରକାରୀ ପଦାଧିକାରୀଙ୍କର ରାଜଧାନୀର ରାସ୍ତା ବନ୍ଦ କରିବା କିମ୍ବା ସରକାରୀ କର୍ମଚାରୀ ଓ ସମ୍ବଳକୁ ରାଜନୈତିକ ପ୍ରତିବାଦରେ ବ୍ୟବହାର କରିବାର ଅଧିକାର ନାହିଁ। ପ୍ରଧାନ ବିଚାରପତି ସର୍ଦାର ମହମ୍ମଦ ସରଫରାଜ ଡୋଗାରଙ୍କ ନେତୃତ୍ୱାଧୀନ ବୃହତ୍ ଖଣ୍ଡପୀଠରେ ଜଷ୍ଟିସ୍ ମହମ୍ମଦ ଆଜମ ଖାନ୍ ଓ ମହମ୍ମଦ ଆସିଫ୍ ମଧ୍ୟ ଥିଲେ।
ପଞ୍ଜାବରେ ଧାରା ୧୪୪ ଲାଗୁ
ସେପଟେ ପିଟିଆଇର ମାର୍ଚ୍ଚକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ମଧ୍ୟ ଧାରା ୧୪୪ ଲାଗୁ କରିଛନ୍ତି। ରାୱଲପିଣ୍ଡି, ଆଟକ୍, ଝେଲମ୍ ଓ ମିଆନୱାଲିରେ ରେଞ୍ଜର୍ସ ମୁତୟନ ପାଇଁ ଅନୁରୋଧ କରାଯାଇଛି। ରାୱଲପିଣ୍ଡି ଓ ଆଟକ୍ର କେତେକ ସ୍ଥାନରେ ସେପ୍ଟେମ୍ବର ୨୭ରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଉପରେ ମଧ୍ୟ କଟକଣା ଲଗାଇବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ଇସ୍ଲାମାବାଦକୁ ଯିବା ପ୍ରମୁଖ ରାସ୍ତାଗୁଡ଼ିକରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ବ୍ୟାପକ ସୁରକ୍ଷାକର୍ମୀ ମୁତୟନ
ଇସ୍ଲାମାବାଦ-ପେଶାୱାର ମୋଟରୱେ, ଇସ୍ଲାମାବାଦ-ଡେରା ଇସ୍ମାଇଲ୍ ଖାନ୍ ମୋଟରୱେ ଓ ଗ୍ରାଣ୍ଡ୍ ଟ୍ରଙ୍କ୍ ରୋଡ୍ର କେତେକ ସ୍ଥାନ ବନ୍ଦ କରାଯାଇଛି। ରାଜଧାନୀ ଓ ଏହାର ଆଖପାଖରେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରାଯାଇଛନ୍ତି। ଇମ୍ରାନ୍ ଖାନ୍ ୨୦୨୩ ଅଗଷ୍ଟରୁ ବିଭିନ୍ନ ମାମଲାରେ ଜେଲ୍ରେ ଅଛନ୍ତି। ତାଙ୍କୁ ମୁକ୍ତ କରିବା ଦାବିରେ ପିଟିଆଇ ଏହି ମାର୍ଚ୍ଚ ଡାକରା ଦେଇଛି। ଇସଲାମାବାଦ ପ୍ରଶାସନର କଟକଣା ସତ୍ତ୍ୱେ ଦଳ ମାର୍ଚ୍ଚ ପାଇଁ ପ୍ରସ୍ତୁତି ଜାରି ରଖିଛି।
ସୌଜନ୍ୟ ସମ୍ବାଦ