Vote theft: ଭୋଟ୍ ଚୋରି’ ଆନ୍ଦୋଳନ ତେଜିଲା ଦେଶବ୍ୟାପୀ ବିକ୍ଷୋଭ, ବହୁ କଂଗ୍ରେସ ନେତା ଅଟକ
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ୧୩ କୋଟି ଭୋଟରଙ୍କ ନାମ ବାଦ୍ ପଡ଼ିବା ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିବାଦୀୟ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ୧୩ କୋଟି ଭୋଟରଙ୍କ ନାମ ବାଦ୍ ପଡ଼ିବା ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିବାଦୀୟ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୁଆହାଟୀଠାରେ ବିକ୍ଷୋଭ ସମୟରେ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି। ଅନ୍ୟପକ୍ଷରେ ଚଣ୍ଡୀଗଡ଼ ଏବଂ ପାଟନାରେ ଆନ୍ଦୋଳନକାରୀଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ପୁଲିସ ପାଣି ମାଡ଼ କରିଛି।
ଦିଲ୍ଲୀର ଜନ୍ତରମନ୍ତର ସମେତ ନିର୍ବାଚନ କମିସନ (ଇସିଆଇ) କାର୍ଯ୍ୟାଳୟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ ରାଇସିନା ରୋଡ୍ରୁ ମାର୍ଚ୍ଚ ଆୟୋଜନ କରାଯାଇଥିଲା। ଭୋପାଳ, ଡେରାଡୁନ୍, ପଞ୍ଜାବ, କର୍ଣ୍ଣାଟକ ଏବଂ କୋଲକାତାରେ କଂଗ୍ରେସ କର୍ମୀମାନେ ରାଜପଥକୁ ଓହ୍ଲାଇ ‘ଜ୍ଞାନେଶ କୁମାରଙ୍କୁ ଗିରଫ କର’ ଏବଂ ‘ଭୋଟ୍ ଚୋରି ମ୍ୟାଜିକ୍ ଟ୍ରିକ୍ ଧରାପଡ଼ିଲା’ ଭଳି ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଭୋଟର ତାଲିକା ଜାଲିଆତି ଅଭିଯୋଗରେ ପୁଲିସ ଏତଲା ଦିଆଯାଇଛି।
ସୌଜନ୍ୟ ସମ୍ବାଦ




