ଜନ ବିଭ୍ରାନ୍ତି ଦୂର କରନ୍ତୁ ଇସି

ନୂଆଦିଲ୍ଲୀ: ଏସ୍ଆଇଆର କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନିର୍ବାଚନ ଆୟୋଗ (ଇସି)ଙ୍କ ତିନି ସଦସ୍ୟଙ୍କ ମଧ୍ୟରେ ହୋଇଥିବା ମତଭେଦ ସମ୍ପର୍କିତ ରିପୋର୍ଟ ଦେଶର ରାଜନୀତିକୁ ସରଗରମ କରିଛି। ଏହି ପରିପ୍ରେକ୍ଷୀରେ ବିଜେପିର ତିନି ସହଯୋଗୀ ଦଳ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଅଂଶୀଦାର ଥିବା ଲୋକ ଜନଶକ୍ତି ପାର୍ଟି (ରାମବିଳାଶ), ତେଲୁଗ ଦେଶମ ପାର୍ଟି (ଟିଡିପି) ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆରଏଲ୍ଏମ୍) ଏହି ମତଭେଦ ସମ୍ପର୍କରେ ସିଇସିଙ୍କ ଠାରୁ ଜବାବ ଲୋଡିଛନ୍ତି। ଶୁକ୍ରବାର ଏହି ତିନି ଦଳର ନେତାମାନେ ଦାବି କରିଛନ୍ତି ଯେ ସିଇସି ଜ୍ଞାନେଶ କୁମାର ସର୍ବସାଧାରଣରେ ଲୋକଙ୍କ ଉଦ୍ବେଗ ସମ୍ପର୍କରେ ମତ ଦିଅନ୍ତୁ। ପାଟନାରେ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି (ରାମବିଳାଶ)ମୁଖ୍ୟ ଚିରାଗ ପାଶ୍ବାନ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କୁ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଉଦ୍ବେଗ ପ୍ରକାଶ ପାଇଛି ତାକୁ ଦୂର କରିବା ଦାୟିତ୍ବ ସିଇସିଙ୍କର। ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ଅଭିଯୋଗକୁ ଆଧାର କରି ସ୍ପଷ୍ଟୀକରଣ ଦିଆଯିବା ପରିବର୍ତ୍ତେ ଭୋଟରଙ୍କ ସନ୍ଦେହକୁ ଦୂର କରାଯିବା ଉଚିତ୍। ସେହିପରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ମୁଖ୍ୟ ଉପେନ୍ଦ୍ର ଖୁସୱାହ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭୋଟରଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ତାକୁ ତୁରନ୍ତ ଦୂର କରାଯିବା ଦରକାର। ଟିଡିପି ନେତା ଲବକୃଷ୍ଣ ଦେବରାୟଲୁ ମଧ୍ୟ ଏହି ପ୍ରସଙ୍ଗରେ ଇସିଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। କାରଣ ଇସି ହେଉଛନ୍ତି ଦେଶର ଏକ ଦାୟିତ୍ବ ସମ୍ପନ୍ନ ଅନୁଷ୍ଠାନ। ତେବେ ଆନ୍ଧ୍ରପ୍ରଦେଶରେ ହୋଇଥିବା ଏସ୍ଆଇଆର ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛତାର ସହ ହୋଇଥିବା ସେ କହିଛନ୍ତି।
ସୌଜନ୍ୟ ସମାଜ




