Income Tax Raid: ରକୁଲଙ୍କ ଘରେ ଆୟକର ଚଢ଼ଉ, ୧୨ଟି ଠିକଣାରେ ରେଡ୍

ମୁମ୍ବାଇ, ୨୯/୦୯: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଠିକଣା ସମେତ ମୁମ୍ବାଇରେ ୧୨ଟି ସ୍ଥାନରେ ସୋମବାର ଚଢ଼ଉ କରିଛି ଆୟକର ବିଭାଗ। ଭେଟେରାନ୍ ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓ ସହ ଜଡ଼ିତ କିଛି ଠିକଣା ମଧ୍ୟ ଏହି ତଦନ୍ତର ପରିସରରେ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଫିଲ୍ମ ସୁଟିଂ, ବିଦେଶୀ ବିତରଣ ଏବଂ ପ୍ରଯୋଜନା ଆଦି କାର୍ଯ୍ୟକଳାପ ନାମରେ ବିପୁଳ ପରିମାଣର ଅର୍ଥ ବିଦେଶକୁ ପଠାଯାଉଥିବା ନେଇ ଆୟକର ବିଭାଗକୁ କିଛି ସୂଚନା ମିଳିଥିଲା। ଏହି ଆର୍ଥିକ କାରବାରରେ ଟିକସ ଫାଙ୍କି କିମ୍ବା ଅନ୍ୟ କୌଣସି ଆର୍ଥିକ ଅନିୟମିତତା ହୋଇଛି କି ନାହିଁ, ତାହା ଯାଞ୍ଚ କରୁଛି ବିଭାଗ। ଚଢ଼ଉ ସମୟରେ ମିଳିଥିବା ଆର୍ଥିକ ଦସ୍ତାବିଜ, ବ୍ୟାଙ୍କ କାରବାର ଏବଂ ଅନ୍ୟାନ୍ୟ ନେଣଦେଣ ରେକର୍ଡକୁ ଅଧିକାରୀମାନେ ଯାଞ୍ଚ କରୁଥିବା ସୂଚନା ମିଳିଛି। ତଦନ୍ତ ପରେ ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅଧିକ ସୂଚନା କିମ୍ବା ବୟାନ ଜାରି କରାଯାଇପାରେ ବୋଲି ଜଣେ ଅଧିକାରୀ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସୌଜନ୍ୟ ପ୍ରମେୟ




