WPL 2027: ଡବ୍ଲୁପିଏଲ୍ ପାଇଁ ସଜବାଜ…୨୯ ଖେଳାଳିଙ୍କୁ ରିଲିଜ୍ କଲେ ୫ ଫ୍ରାଞ୍ଚାଇଜ୍, ଜାଣନ୍ତୁ କିଏ ଛାଡିଲା ଅଧିକ ପ୍ଲେୟାର ?

ନୂଆଦିଲ୍ଲୀ,୨୯/୦୯; ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ପଞ୍ଚମ ସଂସ୍କରଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ସମସ୍ତ ୫ଟି ଯାକ ଫ୍ରାଞ୍ଚାଇଜ ଦଳ ଖେଳାଳି ରିଟେନ ତାଲିକା (ନିଜ ନିଜର ପସନ୍ଦର ଖେଳାଳିଙ୍କୁ ରଖି) ଦାଖଲ କରିବା ସହ ବାକି ଖେଳାଳିମାନଙ୍କୁ ନିଲାମ ପାଇଁ ମୁକ୍ତ କରିଛନ୍ତି । ଏଥର ମୋଟ ୨୯ଜଣ ଖେଳାଳିଙ୍କୁ ମୁକ୍ତ କରାଯାଇଛି । ୟୁପି ୱାରିୟର୍ସ ସର୍ବାଧିକ ୯ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରିଛି । ଆସନ୍ତା ବର୍ଷ ଜାନୁଆରୀ ୧୪ରୁ ଡବ୍ଲ୍ୟୁପିଏଲ୍-୫ ଆରମ୍ଭ ହୋଇ ଫେବ୍ରୁଆରୀ ୭ ତାରିଖରେ ଶେଷ ହେବ । କୋଚି ଠାରେ ଏଥର ଡବ୍ଲ୍ୟୁପିଏଲ୍ ମିନି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଆସନ୍ତା ୨୮ ତାରିଖରେ ନିଲାମ କାର୍ଯ୍ୟକ୍ରମ ରହିଛି । ଏଥିରେ ମୋଟ ୨୭ଟି ସ୍ଥାନ ପୂରଣ ପାଇଁ ସମସ୍ତ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଟଣା ଓଟରା ହେବ । ଗତ ବର୍ଷ ଦିଲ୍ଲୀରେ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା ଏବଂ ଫ୍ରାଞ୍ଚାଇଜମାନେ ମୋଟ ୭୩ଟି ସ୍ଥାନ ପାଇଁ ଖେଳାଳି କିଣିଥିଲେ । ୟୁପି ୱାରିୟର୍ସ ସର୍ବାଧିକ ୯ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରିଛି । ସେମାନେ ହେଲେ ଆମି ଜୋନ୍ସ, ଚାର୍ଲି ନଟ୍, ଚୋଲେ ଟ୍ରାୟୋନ, ଡିଣ୍ଡ୍ରା ଡଟିନ୍, ଆଶା ଶୋଭାନା, ଜି. ତ୍ରିଶା, କିରଣ ନଭଗିରେ, ଶ୍ୱେତା ସେହରାୱତ ଓ ସୁମନ ମୀନା । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ୬ଜଣ (ମିଲି ଇଲିଂୱର୍ଥ, ଜି. କମଳିନୀ, କ୍ରାନ୍ତି ରେଡ୍ଡୀ, ପୁନମ ଖେମନର, ସାଇକା ଇଶାକ, ତ୍ରିବେଣୀ ବଶିଷ୍ଠ), ଦିଲ୍ଲୀ କ୍ୟାପିଟାଲ୍ସ ୬ଜଣ (ଆଲାନା କିଙ୍ଗ୍, ଲିଜେଲ ଲି, ସ୍ନେହ ରାଣା, ତାନିୟା ଭାଟିଆ, ପ୍ରଗତି ସିଂହ, ଏଡ୍ଲା ସୃଜନା), ଗୁଜରାଟ ଜାଏଣ୍ଟ୍ସ ୪ଜଣ (ଡାନି ୱାଟ୍ ହଜ୍, ଆୟୂଷୀ ସୋନି, ଟିଟାସ୍ ସାଧୁ, ଶିବାନୀ ସିଂହ), ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ଜଣ ଖେଳାଳିଙ୍କୁ (ଗ୍ରେସ୍ ହ୍ୟାରିସ୍, ଲିନ୍ସୀ ସ୍ମିଥ୍, ଡି. ହେମଲତା, ଗୌତମୀ ନାୟକ) ମୁକ୍ତ କରିଛି ।
ସୌଜନ୍ୟ ପ୍ରମେୟ




