ରାଜ୍ୟ

PC-PNDT Act Enforcement କଡ଼ାକଡ଼ି ହେବ ପିସି ଓ ପିଏନ୍‌ଡିଟି ଆଇନ, ପ୍ରତିମାସ ୫ ତାରିଖ ସୁଦ୍ଧା ଫର୍ମ-ଏଫ୍‌ ଦାଖଲ ବାଧ୍ୟତାମୂଳକ

ଗଞ୍ଜାମରେ PC-PNDT ଆଇନର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶ। ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକୁ ପ୍ରତିମାସ ୫ ତାରିଖ ସୁଦ୍ଧା ଫର୍ମ-ଏଫ୍‌ ଦାଖଲ କରିବାକୁ ପଡ଼ିବ।

ଛତ୍ରପୁର (ବସନ୍ତ କୁମାର ପଣ୍ଡା):ଗଞ୍ଜାମ ଜିଲ୍ଲାରେ ପିସି ଓ ପିଏନ୍‌ଡିଟି ଆଇନ ୧୯୯୪ର କଡ଼ାକଡ଼ି ଅନୁପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରର ନିରୀକ୍ଷଣ ବଢ଼ାଇବା ଏବଂ ପ୍ରତିମାସ ୫ ତାରିଖ ସୁଦ୍ଧା ଫର୍ମ-ଏଫ୍‌ ଅନ୍‌ଲାଇନ୍‌ରେ ଦାଖଲ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲିଙ୍ଗ ଅନୁପାତରେ ସୁଧାର,  ବେଆଇନ ଲିଙ୍ଗ ନିର୍ଣ୍ଣୟ ଓ ଗର୍ଭପାତ ରୋକିବା ନେଇ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟିର ବୈଠକ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସି ଓ ପିଏନ୍‌ଡିଟି ଆଇନ ସମ୍ପର୍କରେ ପୁଙ୍ଖାକୁପୁଙ୍ଖ ଆଲୋଚନା ହୋଇଥିଲା।

ବୈଠକରୁ ମିଳିଥିବା ସୂଚନାନୁସାରେ, ଅଗଷ୍ଟ ୨୦୨୬ର ଫର୍ମ-ଏଫ୍‌ ଦାଖଲ ନକରିଥିବା କେନ୍ଦ୍ରଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବ। ଆବଶ୍ୟକ ହେଲେ ପଞ୍ଜୀକରଣ ସ୍ଥଗିତ କିମ୍ବା ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସନ୍ଦେହଜନକ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରରେ ଅଚାନକ ଯାଞ୍ଚ ଓ ଚଢ଼ଉ କରାଯିବ। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ୱଷ୍ଟ କରିଛନ୍ତି।

ପ୍ରଥମ ସନ୍ତାନ କନ୍ୟା ହେଲେ ଦ୍ୱିତୀୟ ଗର୍ଭଧାରଣର ସ୍ୱତନ୍ତ୍ର ଟ୍ରାକିଂ, ପ୍ରଥମ ତ୍ରୈମାସିକରେ ଗର୍ଭଧାରଣ ପଞ୍ଜୀକରଣ ଏବଂ ପିଏମଏସଏମଏ ପୋର୍ଟାଲ ମାଧ୍ୟମରେ ନିୟମିତ ଅନୁସରଣକୁ ଗୁରୁତ୍ୱ ଦିଆଯାଇଛି। ‘ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଓ ମାଆମାନଙ୍କୁ ସମ୍ମାନିତ କରାଯିବ। ବେଆଇନ ଲିଙ୍ଗ ନିର୍ଣ୍ଣୟ ସମ୍ପର୍କରେ ପ୍ରମାଣିକ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କା ପ୍ରୋତ୍ସାହନ ଦିଆଯିବ। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ ଗୋପନୀୟ ରଖାଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button