The mining scam: ଖଣି କେଳେଙ୍କାରୀ ଜଳଜଳ: ୧୩୩୫ କୋଟି ଆଦାୟ କରିବାକୁ ଭୁଲିଗଲେ
ଇସ୍ପାତ ଓ ଖଣି ବିଭାଗର ବ୍ୟାପକ ତ୍ରୁଟିବିଚ୍ୟୁତିକୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଧରିଛନ୍ତି। ଠିକ୍ ଭାବେ ରୟାଲ୍ଟି ଓ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିବାରେ ଅଧିକାରୀମାନେ ବିଫଳ...

ଭୁବନେଶ୍ବର: ଇସ୍ପାତ ଓ ଖଣି ବିଭାଗର ବ୍ୟାପକ ତ୍ରୁଟିବିଚ୍ୟୁତିକୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଧରିଛନ୍ତି। ଠିକ୍ ଭାବେ ରୟାଲ୍ଟି ଓ ଅନ୍ୟାନ୍ୟ ଶୁଳ୍କ ଲାଗୁ କରିବାରେ ଅଧିକାରୀମାନେ ବିଫଳ ହେବାରୁ ରାଜ୍ୟ ସରକାର ପ୍ରାୟ ୧୩୩୫ କୋଟି ଟଙ୍କାର ରାଜସ୍ବ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭିନ୍ନ ବୈଧାନିକ ମଞ୍ଜୁରି ନଥିବା ସତ୍ତ୍ବେ କେତେକ ଖଣି ଲିଜଧାରୀ ଆବଶ୍ୟକତାଠାରୁ ଅଧିକ ଖଣିଜ ଉତ୍ପାଦନ କରିଥିଲେ। କାହାକୁ ଖାତିର ନ କରି ମନଇଚ୍ଛା ଖୋଳିଥିଲେ। ସେମାନଙ୍କଠାରୁ ଯେଉଁ ପ୍ରାପ୍ୟ ଆଦାୟ କରାଯିବା କଥା ତାହା ମଧ୍ୟ କରାଯାଇନଥିବା ସିଏଜି କହିଛନ୍ତି।
ବିଧାନସଭାରେ ଉପସ୍ଥାପିତ ରିପୋର୍ଟ ଅନୁସାରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଦୁଇଟି ଖଣିରେ ପରିବେଶ ମଞ୍ଜୁରି (ଇସି)ରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ କୋଇଲା ଉତ୍ତୋଳନ କରାଯାଇଥିଲା। ଗୋଟିଏ ଖଣି ଇସିରେ ନିର୍ଦ୍ଧାରିତ ସୀମା ଓ ଅନ୍ୟ ଏକ ଖଣିରେ ବିନା ଇସିରେ ସମୁଦାୟ ୧,୧୭,୯୬,୫୪୦ ଟନ୍ ଖଣିଜ ଉତ୍ତୋଳନ କରାଯାଇଥିଲା। ଏ ବାବଦରେ ୯୭୫.୫୭ କୋଟି ଟଙ୍କାର ଦେୟ ସଂଗ୍ରହ କରାଯାଇନଥିଲା। ସେହିପରି କୋଇଲାର ଠିକ୍ ଆକାର ନିର୍ଦ୍ଧାରଣ କରିବାରେ ବିଫଳତା କାରଣରୁ ସରକାରଙ୍କୁ ୯୨.୩୮ କୋଟି ଟଙ୍କାର ରୟାଲ୍ଟି ଓ ଅନ୍ୟାନ୍ୟ
ଟିକସ ମିଳିନଥିଲା। ଏମ୍ସିଏଲ୍ ୨୦୨୦-୨୧ରେ ୧୦୦ ଏମ୍ଏମ୍ରୁ କମ୍ ଆକାରର ୫,୭୪,୬୧,୬୮୨ ଟନ୍ କୋଇଲା ଏହାର ସମ୍ବଲପୁର ଓ ତାଳଚେର ଖଣି ସର୍କଲ୍ରୁ ପଠାଇଥିଲା। କିନ୍ତୁ ସେହି କୋଇଲା ଉପରେ ଟନ୍ ପିଛା ୮୭ ଟଙ୍କାର ସାଇଜିଂ ଚାର୍ଜ ଲାଗୁ କରାଯାଇନଥିଲା। ସେଥିପାଇଁ ରୟାଲ୍ଟି ବାବଦରେ ସରକାର ୬୬.୯୯ କୋଟି ଟଙ୍କା, ଡିଏମ୍ଏଫ୍ ଯୋଗଦାନ ରାଶି ଭାବେ ୨୧ କୋଟି ଟଙ୍କା ଓ ଜାତୀୟ ଖଣିଜ ଅନ୍ବେଷଣ ଟ୍ରଷ୍ଟ ବାବଦରେ ୧.୪୦ କୋଟି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ।
ସୌଜନ୍ୟ ସମ୍ବାଦ




