ରାଜ୍ୟ

Crime: କନେଷ୍ଟବଳଙ୍କ ସ୍ବାମୀଙ୍କୁ ଗୁଳି କରି ମାରିଦେଲେ: ଟଙ୍କା ଭର୍ତ୍ତି ବ୍ୟାଗ, ଲାପଟପ ଲୁଟ

କେନ୍ଦୁଝର ଜିଲ୍ଲାରେ ପୁଣି ଆତଙ୍କ ଖେଳାଇଛନ୍ତି ଅପରାଧୀ। ଗତକାଲି ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କେନ୍ଦେଇପଶି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ପାଟଣା ବ୍ଲକ୍‌...

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲାରେ ପୁଣି ଆତଙ୍କ ଖେଳାଇଛନ୍ତି ଅପରାଧୀ। ଗତକାଲି ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କେନ୍ଦେଇପଶି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ପାଟଣା ବ୍ଲକ୍‌ କେନ୍ଦେଇପଶି ପଞ୍ଚାୟତ ଖଜିରାପଶି ଗ୍ରାମର ସାଧବ ମହାନ୍ତଙ୍କ ପୁଅ ତଥା ବ୍ୟବସାୟୀ ତ୍ରିଲୋଚନ ମହାନ୍ତ (୪୨)ଙ୍କୁ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଅତି ନିକଟରୁ ଗୁଳି ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଓ ଲାପଟପ ଲୁଟି ନେଇଛନ୍ତି। ଲୁଟେରାଙ୍କ ଏଭଳି ନୃଶଂସ କାଣ୍ଡ ସମଗ୍ର ଜିଲ୍ଲାରେ ଆତଙ୍କ ଖେଳାଇଦେଇଛି। ମୃତ ତ୍ରିଲୋଚନଙ୍କ ପତ୍ନୀ ତୁଳସୀ ମହାନ୍ତ ପାଟଣା ଥାନାରେ କନେଷ୍ଟବଳ ଅଛନ୍ତି।

ତ୍ରିଲୋଚନଙ୍କର କେନ୍ଦେଇପଶି ବଜାରରେ ଏକ ଜନସେବା କେନ୍ଦ୍ର ଅଛି। ସୋମବାର ରାତିରେ ସେ ଜନସେବା କେନ୍ଦ୍ର ବନ୍ଦ କରି ଏକ ସ୍କୁଟିରେ ପାଟଣା ଥାନା ପରିସରରେ ଥିବା ତାଙ୍କ ପତ୍ନୀଙ୍କ କ୍ବାର୍ଟର୍ସକୁ ଫେରୁଥିଲେ। ଭୀମାପଡ଼ା ଜଙ୍ଗଲ ନିକଟରେ ହଠାତ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟି ଅଟକାଇଥିଲେ। ଟଙ୍କା ବ୍ୟାଗ ଛଡ଼ାଇବାକୁ ନେଇ ଦୁର୍ବୃତ୍ତଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା। ତ୍ରିଲୋଚନ ପ୍ରବଳ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିବାବେଳେ ବାମହାତ ଓ ଅଣ୍ଟାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ତ୍ରିଲୋଚନଙ୍କୁ ଲହୁଲୁହାଣ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ବ୍ୟାଗ ଓ ଲାପଟପ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ। ବ୍ୟାଗରେ ୨ ଲକ୍ଷରୁ ଅଧିକ ଟଙ୍କା ଥିବା କୁହାଯାଉଛି। ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ପୁଲିସ ଟିମ୍‌ ଜଙ୍ଗଲରୁ ତ୍ରିଲୋଚନଙ୍କୁ ଉଦ୍ଧାର କରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button