ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖଣି ଓ ଏମ୍ଏମ୍ଡିଆର୍(ସଂଶୋଧନ) ଆଇନ–୨୦୨୬ ରଦ୍ଦ ଦାବିରେ ଆଜି ଭୁବନେଶ୍ୱର ଲୋୟର୍ ପିଏମ୍ଜିରେ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ଚାରିଟି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନ କରୁଥିବା ‘ଇଣ୍ଡି’ ମେଣ୍ଟ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଆର୍ଥିକ ଅଧିକାର ଉପରେ କେନ୍ଦ୍ରୀୟ ହସ୍ତକ୍ଷେପ ବନ୍ଦ, ନିର୍ବାଚନ ପ୍ରକ୍ରିୟା ଓ ଭୋଟର୍ ତାଲିକାରେ ଅନିୟମିତତା ଅଭିଯୋଗର ତଦନ୍ତ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ, ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଓ ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିଭଳି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆସନ୍ତା ଅକ୍ଟୋବର ୮ତାରିଖରେ ଓଡ଼ିଶା ବନ୍ଦ ପାଳନ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଆହ୍ୱାନ ଦେଇଛନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ ସମାଜର ସବୁବର୍ଗର ଲୋକଙ୍କୁ ସାମିଲ ହେବା ପାଇଁ ମେଣ୍ଟ ପକ୍ଷରୁ ଆହ୍ବାନ ଦିଆଯାଇଛି।
ଆଜିର ଆନ୍ଦୋଳନରେ ଏନ୍ଏସ୍ୟୁଆଇର ଓଡ଼ିଶା ସଭାପତି ବିଭୂତି ଭୂଷଣ ମହାପାତ୍ର ଆହତ ହୋଇଛନ୍ତି। ପ୍ରତିବାଦକୁ ଦମନ କରିବାକୁ ଯାଇ ଓଡ଼ିଶା ପୁଲିସ ଆକ୍ରମଣ କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିଭଳି ଆନ୍ଦୋଳନ ବେଳେ ବ୍ୟାରିକେଡ୍ ଭାଙ୍ଗିବା ଓ ପୁଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଏକାଧିକ ବିଧାୟକ ଓ ବରିଷ୍ଠ ନେତାଙ୍କ ସମେତ ପ୍ରାୟ ୫୦ଜଣଙ୍କୁ ଅଟକ ରଖିବା ପରେ ନୋଟିସ୍ ଦେଇ ଛାଡ଼ିଥିବା ଭୁବନେଶ୍ବର ଡିସିପି ଡା. ସରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ଓଡ଼ିଶାର ଖଣିଜ ସମ୍ପଦରେ କେନ୍ଦ୍ରର ହସ୍ତକ୍ଷେପ ବନ୍ଦ ଦାବି
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ରାଜ୍ୟରେ ବିଜେପି ଶାସନକୁ ଆସିବା ଦିନଠୁ କୌଣସି ବିକାଶ ହୋଇନାହିଁ। ତେଣୁ ସରକାରରୁ ବିଜେପିକୁ ବିତାଡ଼ିତ କରିବା ପର୍ଯ୍ୟନ୍ତ ‘ଇଣ୍ଡି’ ମେଣ୍ଟ ଦୁର୍ବାର ଆନ୍ଦୋଳନ ଜାରି ରଖିବ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୁଞ୍ଜିପତିଙ୍କୁ ଲାଭ ଦେବାକୁ ସରକାର ରାଜ୍ୟର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଖଣି ସଂଶୋଧନ ଆଇନ ଆଣିଛନ୍ତି। ଏହା ଦ୍ବାରା ରାଜ୍ୟ ପ୍ରତିବର୍ଷ ୧୫ହଜାର କୋଟି କ୍ଷତି ସହିବ। ତେଣୁ ଏହି କଳା ଆଇନ ତୁରନ୍ତ ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କଂଗ୍ରେସ ବିଧାନସଭା ଘେରାଉ ପାଇଁ ଘୋଷଣା କରିବା ପରେ ସରକାର ଭୟଭୀତ ହୋଇ ଆଗୁଆ ବନ୍ଦ କରିଦେଲେ ବୋଲି କହିଛନ୍ତି।
ବିଭିନ୍ନ ସଙ୍ଗଠନକୁ ନେଇ ଆୟୋଜିତ ଏହି ବିକ୍ଷୋଭରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍) ଲିବରେସନ୍, ଫରୱାର୍ଡ ବ୍ଲକ୍, ଏନ୍ସିପି–ଶରଦ ପାୱାର, ସମାଜବାଦୀ ପାର୍ଟି, ଆର୍ଜେଡି ଓ ଜେଏମ୍ଏମ୍ ସାମିଲ ହୋଇଛନ୍ତି। ଆଜିର ପରିବର୍ତ୍ତନ ରାଲିରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍ଏଲ୍) ଲିବରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ସିପି–ଶରଦ ପାୱାର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଯାଦବ, ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ ଉଦ୍ବୋଧନ ଦେଇଥିଲେ।
ସୌଜନ୍ୟ ସମ୍ବାଦ