ଯୌନ ଉତ୍ପୀଡ଼ନ ଖବରରେ ସଂଯମତା ରଖ : ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲା ଗୁଡ଼ିକର ରିପୋର୍ଟିଂକୁ ନେଇ ଗଣମାଧ୍ୟମକୁ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ବିଚାରପତି ଜେବି ପାର୍ଦିୱାଲା ଓ କେ ବିନୋଦ ଚନ୍ଦ୍ରନଙ୍କ ପୀଠ କହିଛନ୍ତି ଯେ ଉତ୍ତେଜନା ସୃଷ୍ଟିକାରୀ ଶୀର୍ଷକ, ଯୌନ ହିଂସାର ଗ୍ରାଫିକ୍ ପ୍ରଦର୍ଶନ କିମ୍ବା ଉତ୍ତେଜନାମୂଳକ ସୂଚନା ଜନ ହିତକର ନୁହେଁ। ଏହା ଦ୍ୱାରା ପୀଡ଼ିତା ଓ ସେମାନଙ୍କ ପରିବାରକୁ ଗଭୀର ମାନସିକ ଆଘାତ ଲାଗିପାରେ। ଗଣଦୁଷ୍କର୍ମ ସହ ଜଡିତ ତିନିଟି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଏହି ପରାମର୍ଶ ଦେଇଥିଲେ। ଅଦାଲତ ଏହି ମାମଲାଗୁଡ଼ିକୁ ନିଜଆଡୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ପୋକ୍ସୋ ଆଇନର ଧାରା ୨୩ ଅଧୀନରେ ଛାପା, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ଯୌନ ଉତ୍ପୀଡ଼ନର ଶିକାର କିମ୍ବା ନାବାଳକ ଶିଶୁର ପରିଚୟ ପ୍ରକାଶ ଉପରେ ରୋକ୍ ଲାଗିଛି। ତେଣୁ ଏଭଳି ଖବର ପରିବେଷଣ ସମୟରେ ତଥ୍ୟକୁ ଠିକ୍ ଭାବେ ଉପସ୍ଥାପନ କରିବା ଉଚିତ। ପୀଡ଼ିତଙ୍କ ଗରିମା ଓ ଗୋପନୀୟତାକୁ ସମ୍ମାନ ଦେବା ଆବଶ୍ୟକ।
ସୌଜନ୍ୟ ସମାଜ




