Gold market news: ବର୍ଦ୍ଧିତ ଦର ଓ ଟିକସ ବୃଦ୍ଧିରୁ ଗହଣା ମହଙ୍ଗା, ବିନା ରସିଦରେ ସୁନା କିଣିଲେ ମିଳୁଛି ରିହାତି

ନୂଆଦିଲ୍ଲୀ,୩୦\୯ : ଇତିମଧ୍ୟରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ତଥାପି ଦର ବହୁ ମାତ୍ରାରେ ଉଚ୍ଚା ରହିଛି । ନିକଟରେ ଆମଦାନି ଶୁଳ୍କ ୬%ରୁ ୧୫% କୁ ବଢ଼ିବା ଫଳରେ ଗହଣା ବାବଦ ଖର୍ଚ୍ଚ ଆହୁରି ବୃଦ୍ଧି ପାଇଛି । ଯଦିଓ ଦର ସାମାନ୍ୟ ଖସିଛି ତଥାପି ବର୍ଷେ ତଳେ ଯାହା ଦର ଥିଲା ବର୍ତ୍ତମାନ ଏହା ପାଖାପାଖି ୨୮% ଅଧିକ ଅଛି । ସୁନା ଦର ଉଚ୍ଚ ରହିଥିବାବେଳେ ବର୍ଦ୍ଧିତ ଟିକସ ଯୋଗୁ ଖର୍ଚ୍ଚ ଆହୁରି ବଢ଼ିଯାଇଛି । ଫଳରେ ଅତି ମାତ୍ରାରେ ମହଙ୍ଗା ହୋଇଛି ଗହଣା । ଏଭଳି ସ୍ଥିତିରେ ଗ୍ରାହକଙ୍କ ପାଇଁ ରିହାତି ଅଫର ଆଣିଛନ୍ତି ବିକ୍ରେତା । କିଛିଟା ରିହାତି ହାତେଇବା ପାଇଁ ଔପୋଚାରିକ ବ୍ୟବସ୍ଥାରୁ ବାହାରି ବିନା ରସିଦରେ ଗହଣା କିଣୁଛନ୍ତି ଗ୍ରାହକ । ବୃହତ୍ ସଂଖ୍ୟାରେ ଭାରତୀୟମାନେ ଔପଚାରିକ ବ୍ୟବସ୍ଥାରୁ ବାହାରି ନଗଦ କାରବାର କରୁଛନ୍ତି ଏବଂ ବିନା ଇନଭଏସରେ ସୁନା ଓ ଗହଣା କିଣି ବ୍ୟବସାୟୀଙ୍କଠାରୁ ୬% ପର୍ଯ୍ୟନ୍ତ ରିହାତି ପାଉଛନ୍ତି ।
ଏହା ଆଗକୁ ଟିକସ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ । ବଡ଼ ଆକାରରେ ସୁନା ଗହଣା କିଣୁଥିବା ଗ୍ରାହକଙ୍କୁ ବିନା ରସିଦରେ ଗହଣା ଦେଇ ମୋଟା ଟିକସରୁ ବଞ୍ଚୁଛନ୍ତି ବ୍ୟବସାୟୀ । ତେଣୁ ରିହାତି ଆକାରରେ କିଛି ଲାଭ ସେମାନେ ଗ୍ରାହକଙ୍କୁ ହସ୍ତାନ୍ତର କରୁଛନ୍ତି । ବଜାର ଦରରୁ ପ୍ରାୟ ୬% ରିହାତି ପାଇପାରୁଛନ୍ତି ଗ୍ରାହକ । ଏହିଭଳି ସୁନା କ୍ରୟ କରିଥିବା ଜଣେ ମଧ୍ୟ ବୟସ୍କ ମହିଳାଙ୍କ ଅନୁସାରେ, ସେ ନିଜ ଝିଅର ବିବାହ ପାଇଁ ୧୦ ଗ୍ରାମ ପିଛା ୫,୦୦୦ ଟଙ୍କା ରିହାତିରେ ସୁନା କିଣିଛନ୍ତି । ଏଥିପାଇଁ ସେ ରସିଦ୍ ନେଇନାହାନ୍ତି । ଏହି ୫୫ ବର୍ଷୀୟ ଗୃହିଣୀଙ୍କ କହିବାନୁସାରେ, ସୁନା ରେକର୍ଡ ସ୍ତରରେ ପହଞ୍ଚିଥିବାବେଳେ ଯାହା ସଞ୍ଚୟ ଥିଲା ସେଥିରେ ଗହଣା କିଣିବା କଷ୍ଟକର ରହିଥିଲା । ତେଣୁ ଏହି ଅଫରକୁ ଏକ ସୁଯୋଗ ବୋଲି ଭାବି ବିନା ରସିଦରେ ସୁନା କିଣି କିଛିଟା ରିହାତି ପାଇଗଲି । ସୁନା ଦର ଅତି ଉଚ୍ଚା ରହିଛି । ଏଣୁ ଗହଣା ବିକ୍ରେତାଙ୍କ ଉପରେ ଭରସା ରଖି ଅଫରର ଲାଭ ଉଠାଇଲି ।
ସୌଜନ୍ୟ ପ୍ରମେୟ




