Indian Coast Guard: ଆରବ ସାଗରରେ ନିଶା ଚାଲାଣ ପଣ୍ଡ; ୩,୦୦୦ କୋଟିର ହେରୋଇନ୍-ମେଥ୍ ଜବତ, ୫ ପାକିସ୍ତାନୀ ନାବିକ ଗିରଫ

ନୂଆଦିଲ୍ଲୀ, ୩୦।୯: ଭାରତୀୟ ତଟରକ୍ଷୀ ବାହିନୀ, ଗୁଜୁରାଟ ATS ଏବଂ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକର ଏକ ମିଳିତ ଅଭିଯାନରେ ଆରବ ସାଗରରେ ଏକ ବଡ଼ ଧରଣର ନିଶା କାରବାରକୁ ପଣ୍ଡ କରାଯାଇଛି । ଲାକ୍ଷାଦ୍ୱୀପ ନିକଟ ଆରବ ସାଗରରେ କରାଯାଇଥିବା ଏହି ଅଭିଯାନରେ ପ୍ରାୟ ୩,୦୦୦ କୋଟି ଟଙ୍କାର ହେରୋଇନ୍ ଏବଂ ମେଥ୍ ଜବତ କରାଯାଇଛି । ଏଥିସହ ୫ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୩,୦୦୦ କୋଟିରୁ ଅଧିକ ହେବ । ଏଥିରେ ୫୨୬ କିଲୋଗ୍ରାମର ଅତ୍ୟଧିକ କ୍ଷତିକାରକ ହେରୋଇନ୍ ଓ ମେଥ୍ ଜବତ ହୋଇଛି । ସନ୍ଦିଗ୍ଧ ଇରାନୀ ବୋଟ୍ ଜରିଆରେ ଏହି ଚାଲାଣ କରାଯାଉଥିଲା । ଘଟଣାସ୍ଥଳରୁ ୫ ଜଣ ପାକିସ୍ତାନୀ ନାବିକଙ୍କୁ କୋଷ୍ଟଗାର୍ଡ କାବୁ କରିଛି ।
କିପରି ହୋଇଥିଲା ଏହି ଅପରେସନ୍ ?
ଗୁଜୁରାଟ ATS ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକରୁ ପକ୍କା ଖବର ପାଇବା ପରେ କୋଷ୍ଟଗାର୍ଡ ଲକ୍ଷଦ୍ୱୀପ ପଶ୍ଚିମ ସାମୁଦ୍ରିକ ଅଞ୍ଚଳରେ ସନ୍ଦିଗ୍ଧ ବୋଟ୍ ଉପରେ କଡ଼ା ନଜର ରଖିଥିଲା । ବୋଟ୍ ପଳାଇବାକୁ ଚେଷ୍ଟା କରିବାରୁ ଭାରତୀୟ ସୁରକ୍ଷା ବାହିନୀ ‘ହଟ୍ ପରସୁଏଟ୍’ ଅର୍ଥାତ୍ ପିଛା କରି ଏହାକୁ ଚାରିପଟୁ ଘେରି ଯାଇଥିଲେ ଏବଂ ସାହସିକତାର ସହ ବୋଟ୍ ମଧ୍ୟକୁ ପ୍ରବେଶ କରିଥିଲେ । ଜବତ ହୋଇଥିବା ବୋଟ୍ ଏବଂ ଗିରଫ ଅଭିଯୁକ୍ତମାନଙ୍କୁ କୋଷ୍ଟଗାର୍ଡର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁମ୍ବାଇ ଅଣାଯାଇଛି ।
ସୌଜନ୍ୟ ପ୍ରମେୟ




