WhatsApp: ହ୍ୱାଟ୍ସଆପ୍ ମେସେଜ୍ ପଠାଇଲେ ଦେବାକୁ ପଡ଼ିବ ଟଙ୍କା, ଅକ୍ଟୋବର ୧ ରୁ ନୂଆ ନିୟମ ଲାଗୁ !

ନୂଆଦିଲ୍ଲୀ, ୩୦।୯: ମେଟା ଭାରତରେ ୧ ଅକ୍ଟୋବର ୨୦୨୬ରୁ ଏହାର WhatsApp Business Platform ପ୍ରାଇସିଂରେ ବଡ଼ଧରଣର ପରିବର୍ତ୍ତନ କରୁଛି । ଏହାର ଅର୍ଥ ହେଲା ବ୍ୟବସାୟୀମାନଙ୍କୁ ବର୍ତ୍ତମାନ ସେହି ମେସେଜଗୁଡ଼ିକ ପାଇଁ ମଧ୍ୟ ଟଙ୍କା ଦେବାକୁ ପଡ଼ିବ, ଯାହା ପୂର୍ବରୁ ସମ୍ପୂର୍ଣ୍ଣ ମାଗଣା ଥିଲା । ମନେକରନ୍ତୁ, ବର୍ତ୍ତମାନ ବ୍ୟବସାୟୀମାନେ ୨୪ ଘଣ୍ଟାର ୱିଣ୍ଡୋ ଭିତରେ ଗ୍ରାହକଙ୍କ ମେସେଜର ଜବାବ ଏବଂ ଅର୍ଡର ଅପଡେଟ୍ ସମ୍ପୂର୍ଣ୍ଣ ମାଗଣାରେ ପଠାଇ ପାରୁଥିଲେ, କିନ୍ତୁ ୧ ଅକ୍ଟୋବରରୁ ଏହି ନିୟମ ବଦଳିଯିବ । ତେବେ ଆସନ୍ତୁ ଜାଣିବା ଆଜିଠାରୁ କ’ଣ ପରିବର୍ତ୍ତନ ହେଉଛି, କେଉଁ ଜିନିଷଗୁଡ଼ିକ ମାଗଣା ରହିବ ଏବଂ ବ୍ୟବସାୟୀମାନଙ୍କୁ କେତେ ଅଧିକ ଟଙ୍କା ଦେବାକୁ ପଡ଼ିବ ।
ଅକ୍ଟୋବର ୧ ରୁ କ’ଣ ସବୁ ବଦଳୁଛି ?
ବର୍ତ୍ତମାନ ପର୍ଯ୍ୟନ୍ତ WhatsApp Business Platform ବ୍ୟବହାର କରୁଥିବା ବ୍ୟବସାୟୀମାନେ କୌଣସି ଗ୍ରାହକଙ୍କ ମେସେଜ୍ ଆସିବାର ୨୪ ଘଣ୍ଟା ଭିତରେ ତାଙ୍କୁ ମାଗଣାରେ ଜବାବ ଦେଇ ପାରୁଥିଲେ । ଏଥିରେ ପ୍ରଡକ୍ଟ ବା ଅର୍ଡର ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ସହିତ ଅର୍ଡର କନଫର୍ମେସନ୍ ଏବଂ ଡେଲିଭରି ଅପଡେଟ୍ ପଠାଇବା ମଧ୍ୟ ସାମିଲ ଥିଲା । କିନ୍ତୁ, ୧ ଅକ୍ଟୋବରରୁ ମେଟା ଏହି ୨୪ ଘଣ୍ଟାର ୱିଣ୍ଡୋ ଭିତରେ ପଠାଯାଇଥିବା ଅର୍ଡର ଅପଡେଟ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ମେସେଜ୍ ପାଇଁ ବ୍ୟବସାୟୀଙ୍କଠାରୁ ଚାର୍ଜ ଆଦାୟ କରିବା ଆରମ୍ଭ କରିବ । ତେବେ ଗ୍ରାହକଙ୍କ ପ୍ରଶ୍ନର ଜବାବ ପ୍ରତି ମାସରେ ପ୍ରଥମ ୧,୦୦୦ଟି ସର୍ଭିସ୍ ମେସେଜ୍ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିବ ।
ହ୍ୱାଟ୍ସଆପ୍ ବିଜନେସ୍ ମେସେଜର ଖର୍ଚ୍ଚ କେତେ ପଡ଼ିବ ?
ଭାରତରେ ମେଟା ଏଥିପାଇଁ GST ବ୍ୟତୀତ ଷ୍ଟାଣ୍ଡାର୍ଡ ରେଟ୍ ୦.୧୧୫ ଟଙ୍କା ପ୍ରତି ମେସେଜ୍ ସ୍ଥିର କରିଛି । ୧୮ ପ୍ରତିଶତ GST ଯୋଗ କରିବା ପରେ ଏହା ପ୍ରାୟ ୦.୧୩୬ ଟଙ୍କା ପଡ଼ିବ । ପ୍ରମୋଶନାଲ୍ ଅଫର୍ ଏବଂ ସେଲ୍ ଆନାଉନ୍ସମେଣ୍ଟ ପାଇଁ ମେଟା ୦.୮୬୩୧ ଟଙ୍କା ପ୍ରତି ମେସେଜ୍ ଧାର୍ଯ୍ୟ କରିଛି । OTP ଇତ୍ୟାଦି ପଠାଇବା ପାଇଁ GST ପୂର୍ବରୁ ୦.୧୧୫ ଟଙ୍କା ପ୍ରତି ମେସେଜ୍ ଦେବାକୁ ପଡ଼ିବ ।
ସୌଜନ୍ୟ ପ୍ରମେୟ




