Heat Wave Alert: ସରିଲା ମୌସୁମୀ ଖେଳ, ୩ ମାସ ଶୁଖିଲା ପାଗ, ଅକ୍ଟୋବରରେ ସିଝିବ ଓଡ଼ିଶା…

ଭୁବନେଶ୍ୱର ୦୧/୧୦: ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଖେଳ । ଆସିଗଲା ମୌସୁମୀର ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ ଡିସେମ୍ବର ଯାଏ ରାଜ୍ୟରେ ବର୍ଷା ପ୍ରାୟତଃ ନାହିଁ । ଏହି ଅବଧିରେ ଯେତିକି ବର୍ଷା ହେବା କଥା, ତା’ଠାରୁ ଢେର କମ୍ ରହିବ । ଏବେଠାରୁ ରାଜ୍ୟରେ ଖରା ପ୍ରକୋପ ବଢ଼ିଲାଣି । ତାପମାତ୍ରା ୩୪-୩୫ ଡିଗ୍ରୀ ସେଲସିୟସ୍ ରହୁଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ରାଜ୍ୟର ସବୁ ଅଞ୍ଚଳ ଶୁଖିଲା ରହିବା ସମ୍ଭାବନା ଅଛି । ଖାଲି ସେତିକି ନୁହେଁ, ଅକ୍ଟୋବର ମାସରେ ବି ବର୍ଷା ସମ୍ଭାବନା ଦେଖାଯାଉନି । ଚିନ୍ତାର ବିଷୟ ହେଲା, ତାପମାତ୍ରା । ଅକ୍ଟୋବର ମାସରେ ଦକ୍ଷିଣ ଓ ପୂର୍ବ ଭାରତରେ ଅସ୍ୱାଭାବିକ ଗରମ ଅନୁଭୂତ ହୋଇପାରେ । ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ଯଥେଷ୍ଟ ଅଧିକ ରହିବା ସମ୍ଭାବନା ଅଛି । ବିଶେଷ କରି ଉପକୂଳ, ଦକ୍ଷିଣ ଏବଂ ଉତ୍ତରରେ ଅଧିକ ତାପମାତ୍ରା ରହିପାରେ । ଅନ୍ୟପଟେ ରାତି ବାତାବରଣ ବି ଥଣ୍ଡା ପଡ଼ିବନି । ରାତିରେ ବି ସ୍ୱାଭାବିକ ତୁଳନାରେ ତାପମାତ୍ରା ଅଧିକ ରହିବ ।
ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ ଏଲ୍-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର ପ୍ରଭାବ ପଡ଼ିବ । ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ ଆକାଶ ମେଘମୁକ୍ତ ରହିବ । ଜଳୀୟବାଷ୍ପ ରହିବନି । ତେଣୁ ଖରା ଟାଣ ହେବ । ଏମିତିକି ଅକ୍ଟୋବରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଛୁଇଁପାରେ । ଏମିତି ହେଲେ ଅସ୍ୱାଭାବିକ ଗରମରେ ଓଡ଼ିଶାବାସୀ ସନ୍ତୁଳି ହେବେ । ଏତେ ବର୍ଷା ପରେ ବି ରାଜ୍ୟରେ ବାତାବରଣ ଉଷ୍ମ ରହୁଛି । ଆଗକୁ ବର୍ଷା ସମ୍ଭାବନା ବି କ୍ଷୀଣ । ରାତିରେ ବି ଥଣ୍ଡା ଲାଗିବନି । ଏମିତିକି କାକର କମିଯିବ । ସାଧାରଣତଃ ଅକ୍ଟୋବରରୁ ରାତି ତାପମାତ୍ରା ସାମାନ୍ୟ କମିବା ସହ ହାଲୁକା ଥଣ୍ଡା ପଡ଼ିଥାଏ ବାତାବରଣ । ଏଥର ସେ ସ୍ଥିତି ରହିବନି । ଶୀତ ଆଗମନ ବି ବିଳମ୍ବିତ ହେବ । ବର୍ତ୍ତମାନ ରାଜ୍ୟରେ କୁହୁଡ଼ି ପ୍ରକୋପ ଧୀରେ ଧୀରେ ବଢ଼ିବ ।
ଚଳିତବର୍ଷ ଜୁନ୍ରୁ ସେପ୍ଟେମ୍ବର ୪ ମାସିଆ ଅବଧି ଭିତରେ ଏଥର ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଦେଶରେ ସ୍ୱାଭାବିକଠାରୁ ହାରାହାରି ୧୩% କମ୍ ବର୍ଷା ହୋଇଛି । ଓଡ଼ିଶା ଚିତ୍ର ପୂରା ଓଲଟା । ରାଜ୍ୟରେ ଏଥର ରେକର୍ଡ ବର୍ଷା । ୪ ମାସରେ ହାରାହାରି ୧୪୮୪.୩ ମିଲିମିଟର ବର୍ଷା ହୋଇଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି)ର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା କମ୍ ସମୟ ଭିତରେ ହୋଇଛି । ମୌସୁମୀ ଅବଧି ଭିତରେ ରାଜ୍ୟରେ ୧୦ଟି ଲଘୁଚାପ ପ୍ରଭାବ ପକାଇଥିଲା । ଜୁଲାଇରେ ୩ଟି, ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ୨ଟି ଲଘୁଚାପ ଆସିଥିଲା। ଏଥିରୁ ଅବପାତ ୩ଟି, ଗଭୀର ଅବପାତ ୨ଟି, ୱେଲ ମାର୍କଟ (ସ୍ପଷ୍ଟ ଚିହ୍ନଟ) ଲଘୁଚାପ ୨ଟି ଏବଂ ଲଘୁଚାପ ୩ଟି । ଏସବୁ ସିଷ୍ଟମର ପ୍ରଭାବ ୪୨ ଦିନ ରହିଥିଲା । ଏହି ୪୨ ଦିନରେ ଓଡ଼ିଶାରେ ୧୦୫୭.୮ ମିମି ବର୍ଷା ହୋଇଥିଲା । ବାକି ୭୮ ଦିନରେ ୪୨୬.୫ ମିମି ବର୍ଷା ହୋଇଥିଲା । ସେଥିରୁ ଜୁନ୍ ମାସର ୩୦ ଦିନରେ ୧୧୦.୩ ମିମି ବର୍ଷା ପାଇଥିଲା ।
ସୌଜନ୍ୟ ପ୍ରମେୟ




