ପୁଣି ଚର୍ଚ୍ଚାରେ ପୁଲିସ୍ ବିଭାଗ: ଅବସରର ୧୦ ବର୍ଷ ପରେ ବି ଆଇପିଏସ୍ଙ୍କ ଘରେ ଖଟୁଛନ୍ତି ଅଡର୍ଲି, ଅଭିଯୋଗ ପରେ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୦୧/୧୦: ମାସ କି ଦୁଇ ମାସ ନୁହେ… । ଅବସର ନେବାର ୫ ବର୍ଷ, ୧୦ ବର୍ଷ ପରେ ମଧ୍ୟ ଏକାଧିକ ଅବସରପ୍ରାପ୍ତ ଆଇପିଏସ୍ଙ୍କ ଘରେ ପୁଲିସ୍ କର୍ମଚାରୀ(ଫଲୋ/ଅର୍ଡରଲି) ରଖି କାମ କରାଉଛନ୍ତି । କିଏ ଡ୍ରାଇଭର ହୋଇ କାମ କରୁଛି ତ’ପୁଣି କିଏ ରୋଷେୟା ଭାବେ । ଏହି ଘଟଣାର ତଦନ୍ତ ଦାବି କରି ଡିଜିପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଜଣେ ପୁଲିସ୍ ଅଧିକାରୀ । ଏହାପରେ ପୁଲିସ୍ ମହଲରେ ଏହାକୁ ନେଇ ଚର୍ଚ୍ଚା ଦେଖା ଦେଇଛି ।
ରାଜ୍ୟରେ ସବୁ ରାଙ୍କ ପୁଲିସ୍ କର୍ମଚାରୀଙ୍କ ଅଭାବ ରହିଛି । ହେଲେ ଏହାରି ଭିତରେ କିଛି ଅବସରପ୍ରାପ୍ତ ଆଇପିଏସ୍ ଅଫିସର ନିଜ ବାସଭବନରେ ନିମ୍ନ ପଦବିର କନଷ୍ଟେବଳ ଓ ହୋମଗାର୍ଡ ପୁଲିସ କର୍ମଚାରୀ(ଫଲୋ/ଅଡର୍ଲି)ଙ୍କୁ ନିଜର ବ୍ୟକ୍ତିଗତ ଓ ଘରୋଇ କାମରେ ନିୟୋଜିତ କରାଯାଉଛି । ଏହାକୁ ନେଇ ଓଡ଼ିଶା ପୁଲିସରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି । ସବୁଠାରୁ ବଡ଼କଥା ହେଲା ୨୦୧୫ରୁ ଅବସର ନେଇଥିବା ଜଣେ ଡିଜି ମଧ୍ୟ ଏବେ ନିଜ ଘରେ ପୁଲିସ୍ କର୍ମଚାରୀଙ୍କୁ ରଖିଛନ୍ତି ।
ଖାଲି ଅବସର ନୁହେଁ ବର୍ତ୍ତମାନ କାର୍ଯ୍ୟତର ଥିବା ଏକାଧିକ ଆଇପିଏସ୍ ଅଧିକାରୀ ନିଜ କ୍ଷମତାକୁ ଅପବ୍ୟବହାର କରି ନିଜ ପାଖରେ ୧୦ରୁ ୧୨ ଜଣ ଫଲୋ/ଅଡର୍ଲି ରଖିଛନ୍ତି । ୨୦୨୦ରେ ଏସ୍ସିଆର୍ବିରେ କାର୍ଯ୍ୟରତ ଥିଲେ ଜଣେ ବରିଷ୍ଠ ଆଇପିଏସ୍ ଅଫିସ୍ର । କମିଶନରେଟ୍ ପୁଲିସ୍ ତରଫରୁ ତାଙ୍କୁ ଫଲୋ/ଅଡର୍ଲି ଦିଆଯାଇଥିଲା । ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା । ତାଙ୍କର ବଦଳି ସମୟରେ ଉକ୍ତ ଫଲୋ/ଅର୍ଡରଲିଙ୍କୁ ସାଙ୍ଗରେ ନେଇ ଯାଇଥିଲା । କେବଳ ଏ ଅଧିକାରୀ ନୁହନ୍ତି ଅନ୍ୟ କିଛି ଅଧିକାରୀ ମଧ୍ୟ ଏକାଧିକ କର୍ମଚାରୀଙ୍କୁ ନେଇ ସାଙ୍ଗରେ ବୁଲୁଛନ୍ତି । ହେଲେ ସେମାନଙ୍କ ଦରମା କମିଶନରେଟ୍ ବହନ କରୁଛି । କମିଶନରେଟ୍ ପୁଲିସ୍ ଅଞ୍ଚଳରେ କ୍ୱାର୍ଟର୍ସ ପାଉଥିବା ନୂଆ ଆଇପିଏସମାନେ ଫଲୋ/ଅଡର୍ଲିଙ୍କୁ ସମସ୍ୟା ହେଉଛି ।
ବେଆଇନ୍ ଭାବେ ଫଲୋ/ଅଡର୍ଲି ରଖିବା ଘଟଣା ପଦାକୁ ଆସିବା ପରେ କିଛି ପୁଲିସ୍ ଅଧିକାରୀ ରାଜ୍ୟ ସରକାରଙ୍କୁ ଏହାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରିବାକୁ ଜଣାଇବା ସହ ଡିଜିପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଏମିତିକି ଅଭିଯୋଗ ସତ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଛନ୍ତି । ଅଧିକାରୀମାନେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଆଇପିଏସ ଅଫିସରମାନେ ସବୁଠାରୁ ଅଧିକ ଦରମା ଓ ପେନସନ୍ ପାଉଥିବା ସତ୍ତେ୍ୱ ସେମାନେ ଘରୋଇ ସହାୟକ ନରଖି ପୁଲିସ୍ ବାହିନୀର ଯବାନମାନଙ୍କୁ ନିଜ ଘର କାମରେ ଲଗାଉଛନ୍ତି ।
ସୌଜନ୍ୟ ପ୍ରମେୟ




