ରାଜ୍ୟ

Heat Wave Alert: ସରିଲା ମୌସୁମୀ ଖେଳ, ୩ ମାସ ଶୁଖିଲା ପାଗ, ଅକ୍ଟୋବରରେ ସିଝିବ ଓଡ଼ିଶା…

ଭୁବନେଶ୍ୱର ୦୧/୧୦: ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ  ଖେଳ । ଆସିଗଲା ମୌସୁମୀର  ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ  ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩  ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ  ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ  ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ।  ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ  ଡିସେମ୍ବର ଯାଏ ରାଜ୍ୟରେ ବର୍ଷା  ପ୍ରାୟତଃ ନାହିଁ । ଏହି ଅବଧିରେ  ଯେତିକି ବର୍ଷା ହେବା କଥା,  ତା’ଠାରୁ ଢେର କମ୍‌ ରହିବ ।  ଏବେଠାରୁ ରାଜ୍ୟରେ ଖରା ପ୍ରକୋପ  ବଢ଼ିଲାଣି । ତାପମାତ୍ରା ୩୪-୩୫  ଡିଗ୍ରୀ ସେଲସିୟସ୍‌ ରହୁଛି ।

ଭାରତୀୟ ପାଣିପାଗ ବିଜ୍ଞାନ  ବିଭାଗ (ଆଇଏମ୍‌ଡି) ଜାରି କରିଥିବା  ସମ୍ଭାବ୍ୟ ଚିତ୍ର ଅନୁସାରେ  ରାଜ୍ୟର  ସବୁ ଅଞ୍ଚଳ ଶୁଖିଲା ରହିବା ସମ୍ଭାବନା  ଅଛି । ଖାଲି ସେତିକି ନୁହେଁ,  ଅକ୍ଟୋବର ମାସରେ ବି ବର୍ଷା ସମ୍ଭାବନା  ଦେଖାଯାଉନି । ଚିନ୍ତାର ବିଷୟ ହେଲା,  ତାପମାତ୍ରା । ଅକ୍ଟୋବର ମାସରେ ଦକ୍ଷିଣ  ଓ ପୂର୍ବ ଭାରତରେ ଅସ୍ୱାଭାବିକ ଗରମ  ଅନୁଭୂତ ହୋଇପାରେ । ଓଡ଼ିଶାରେ  ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ  ଯଥେଷ୍ଟ ଅଧିକ ରହିବା ସମ୍ଭାବନା  ଅଛି । ବିଶେଷ କରି ଉପକୂଳ, ଦକ୍ଷିଣ  ଏବଂ ଉତ୍ତରରେ  ଅଧିକ ତାପମାତ୍ରା  ରହିପାରେ । ଅନ୍ୟପଟେ ରାତି ବାତାବରଣ  ବି ଥଣ୍ଡା ପଡ଼ିବନି ।    ରାତିରେ ବି ସ୍ୱାଭାବିକ ତୁଳନାରେ ତାପମାତ୍ରା ଅଧିକ ରହିବ ।

ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍‌-ନିନୋ  ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ  ଏଲ୍‌-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର  ପ୍ରଭାବ ପଡ଼ିବ । ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ  ଆକାଶ ମେଘମୁକ୍ତ ରହିବ । ଜଳୀୟବାଷ୍ପ ରହିବନି । ତେଣୁ  ଖରା ଟାଣ ହେବ । ଏମିତିକି ଅକ୍ଟୋବରରେ ଦିନ ତାପମାତ୍ରା  ୩୭ ଡିଗ୍ରୀ ଛୁଇଁପାରେ । ଏମିତି ହେଲେ ଅସ୍ୱାଭାବିକ ଗରମରେ  ଓଡ଼ିଶାବାସୀ ସନ୍ତୁଳି ହେବେ । ଏତେ ବର୍ଷା ପରେ ବି ରାଜ୍ୟରେ  ବାତାବରଣ ଉଷ୍ମ ରହୁଛି । ଆଗକୁ ବର୍ଷା ସମ୍ଭାବନା ବି କ୍ଷୀଣ ।  ରାତିରେ ବି ଥଣ୍ଡା ଲାଗିବନି । ଏମିତିକି କାକର କମିଯିବ ।  ସାଧାରଣତଃ ଅକ୍ଟୋବରରୁ ରାତି ତାପମାତ୍ରା ସାମାନ୍ୟ କମିବା  ସହ ହାଲୁକା ଥଣ୍ଡା ପଡ଼ିଥାଏ ବାତାବରଣ । ଏଥର ସେ ସ୍ଥିତି  ରହିବନି । ଶୀତ ଆଗମନ ବି ବିଳମ୍ବିତ ହେବ । ବର୍ତ୍ତମାନ  ରାଜ୍ୟରେ କୁହୁଡ଼ି ପ୍ରକୋପ ଧୀରେ ଧୀରେ ବଢ଼ିବ ।

ଚଳିତବର୍ଷ ଜୁନ୍‌ରୁ ସେପ୍ଟେମ୍ବର ୪ ମାସିଆ ଅବଧି  ଭିତରେ ଏଥର ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ  ରହିଛି । ଦେଶରେ ସ୍ୱାଭାବିକଠାରୁ ହାରାହାରି ୧୩% କମ୍‌  ବର୍ଷା ହୋଇଛି । ଓଡ଼ିଶା ଚିତ୍ର ପୂରା ଓଲଟା । ରାଜ୍ୟରେ ଏଥର  ରେକର୍ଡ ବର୍ଷା । ୪ ମାସରେ ହାରାହାରି ୧୪୮୪.୩ ମିଲିମିଟର  ବର୍ଷା ହୋଇଛି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ  ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା କମ୍‌ ସମୟ ଭିତରେ ହୋଇଛି । ମୌସୁମୀ ଅବଧି ଭିତରେ  ରାଜ୍ୟରେ ୧୦ଟି ଲଘୁଚାପ ପ୍ରଭାବ ପକାଇଥିଲା । ଜୁଲାଇରେ  ୩ଟି, ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ୨ଟି ଲଘୁଚାପ  ଆସିଥିଲା। ଏଥିରୁ ଅବପାତ ୩ଟି, ଗଭୀର ଅବପାତ ୨ଟି,  ୱେଲ ମାର୍କଟ (ସ୍ପଷ୍ଟ ଚିହ୍ନଟ) ଲଘୁଚାପ ୨ଟି ଏବଂ ଲଘୁଚାପ  ୩ଟି । ଏସବୁ ସିଷ୍ଟମର ପ୍ରଭାବ ୪୨ ଦିନ ରହିଥିଲା । ଏହି  ୪୨ ଦିନରେ ଓଡ଼ିଶାରେ ୧୦୫୭.୮ ମିମି ବର୍ଷା ହୋଇଥିଲା ।  ବାକି ୭୮ ଦିନରେ ୪୨୬.୫ ମିମି ବର୍ଷା ହୋଇଥିଲା । ସେଥିରୁ  ଜୁନ୍‌ ମାସର ୩୦ ଦିନରେ ୧୧୦.୩ ମିମି ବର୍ଷା ପାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button