ରାଜ୍ୟ

Student Union Elections: ଏବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ! ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା, ଦୁଇ ଦିନ ମଧ୍ୟରେ ଆସିପାରେ ବିଜ୍ଞପ୍ତି

ଭୁବନେଶ୍ୱର,୦୧/୧୦: ଏବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ । ତେବେ ଦଶହରା ଛୁଟି ପୂର୍ବରୁ ହେବ କି ପରେ, ସେ ନେଇ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଛି । ତଥାପି ରାଜ୍ୟ ସରକାରଙ୍କ ସବୁଜ ସଙ୍କେତକୁ କେବଳ ଅପେକ୍ଷା ରହିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।ଯଦି ସବୁ ଠିକଠାକ ରୁହେ ତେବେ ଅକ୍ଟୋବର ୧୪ କିମ୍ବର ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇପାରନ୍ତି ଏହା ଠିକ ୧୦ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି।

ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ଦଶହରା ପୂର୍ବରୁ ହେଉଥିଲା । ଫଳରେ ନିର୍ବାଚନ ତିକ୍ତତା ପୂଜା ଛୁଟିରେ ହଜି ଯାଉଥିଲା । ଛୁଟି ଖୋଲିବା ମାତ୍ରେ ପୁଣି ସମସ୍ତେ ମିଳିମିଶି ନୂଆ ଛାତ୍ରନେତାଙ୍କୁ ନେଇ ଛାତ୍ର ସଂସଦ , ନାଟ୍ୟ ସଂସଦ ସମେତ ବିଭିନ୍ନ ସଂସଦର ବାର୍ଷିକ ଉତ୍ସବ ପାଳନ କରୁଥିଲେ । ତେବେ ଚଳିତବର୍ଷ ଦଶହରା ଛୁଟିକୁ ଆଉ ୧୫ଦିନ ରହିଲା । ଏତିକିଦିନରେ ନିର୍ବାଚନ ପ୍ରସ୍ତୁତି କରିବା ଯଦିଓ କାଠିକର ପାଠ ତଥାପି କ୍ୟାମ୍ପସ ରାଜନୀତି ଜୋର ଧରିବାରେ ଲାଗିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ଠୁ ନେଇ ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ପ୍ରମୁଖ ଛାତ୍ର ସଙ୍ଗଠନ ନିଜ ନିଜ ପତିଆରା ଜାହିର କରିବାକୁ କସରତ ଆରମ୍ଭ କରିସାରିଛନ୍ତି । କିଏ ଛାତ୍ରଛାତ୍ରୀଙ୍କୁ ନେଇ ଖଟିରେ ଆଲୋଚନା କଲାଣି ତ କିଏ ନେତା ଗଢ଼ିବାକୁ ପରାମର୍ଶ ନେଲାଣି । କିଏ ଲିଫଲେଟ୍ ବାଣ୍ଟିଲାଣି ତ କିଏ ଗଣେଶ ପୂଜା ଆୟୋଜନ କରି ସମସ୍ତଙ୍କୁ ଏକ କଲାଣି । ଏସବୁ ଭିତରେ ସମସ୍ତେ ନିର୍ବାଚନ ଘୋଷଣା ତାରିଖକୁ ଅପେକ୍ଷା କରିଛନ୍ତି ।

ପ୍ରାୟ ୯ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଯାହାକୁ ପୁନଃଚାଲୁ କରିବାକୁ ସବୁ ଦଳର ଛାତ୍ର ନେତାନେତ୍ରୀମାନେ ଦାବି କରିଆସୁଛନ୍ତି । କିଛିଦିନ ତଳେ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ, ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ସକରାତ୍ମକ ଅଛନ୍ତି । ମନ୍ତ୍ରୀଙ୍କ ଏହି ବିବୃତି ସମସ୍ତଙ୍କୁ ଆନନ୍ଦିତ କରିଥିଲା । ହେଲେ ଏଯାଏ ନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇନି । ଏପଟେ ଦଶହରା ପରେ ପରୀକ୍ଷା ଆରମ୍ଭ ହୋଇଯିବ । ସେ ସମୟରେ ନିର୍ବାଚନ ହେବା ସମ୍ଭବପର ନୁହେଁ ବୋଲି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଛନ୍ତି । ତେଣୁ ଯଥାସମ୍ଭବ ତାରିଖ ପ୍ରକାଶ କରିବାକୁ ଏବିଭିପି ଦାବି କରିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button