Flydubai Incident : ଫ୍ଲାଏଦୁବାଇ ରକ୍ତ ସଙ୍ଘର୍ଷ ଘଟଣା, ଛୁରାମାଡ଼ ଖାଇ ବୀରତ୍ଵ ଦେଖାଇଲେ ଭାରତୀୟ ପାଇଲଟ, ସ୍ମିଥଙ୍କ ପାଇଁ ବଞ୍ଚିଗଲେ ୧୮୦ ଯାତ୍ରୀ

ନୂଆଦିଲ୍ଲୀ, ୧୦/୧ : ବୁଧବାର ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇର FZ-1073 ବିମାନରେ ରକ୍ତ ସଙ୍ଘର୍ଷ ଘଟଣା । ମଝି ଆକାଶରେ ଛୁରା ମାଡ଼ ଖାଇ ବୀରତ୍ଵ ଦେଖାଇଲେ ଭାରତୀୟ ପାଇଲଟ । କ୍ୟାପ୍ଟେନ ସ୍ମିଥ ମଚ୍ଛରଙ୍କ ପାଇଁ ବଞ୍ଚିଗଲା ୧୮୦ ଯାତ୍ରୀଙ୍କ ଜୀବନ । ସ୍ମିଥଙ୍କ ସାହାସିକତା ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ଵବ୍ୟାପୀ ଛୁଟୁଛି ସାବାସୀର ସୁଅ । ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ନେତନ୍ୟାହୁଙ୍କ ଯାଏଁ ସମସ୍ତେ ସ୍ମିଥଙ୍କୁ କରୁଛନ୍ତି ଭୁରି ଭୁରି ପ୍ରଶଂସା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗୁରୁତର ଆହତ ହେବା ସତ୍ତ୍ୱେ, କ୍ୟାପ୍ଟେନ ସ୍ମିଥ ମଚ୍ଛର ଜଣେ ହିରୋ । ସେ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ଅଦମ୍ୟ ସାହସ ଏବଂ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିଲେ । ତାଙ୍କ ସାହସ ଯୋଗୁଁ ଶହ ଶହ ଜୀବନ ବଞ୍ଚିଗଲା ଏବଂ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଗଲା ।
ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ନେଇ କ୍ୟାପ୍ଟେନ ମଚ୍ଛର ଏବଂ ଯାତ୍ରୀ ୟାନିବ ହୟୁନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଗୁରୁତର ଆହତ ହେବା ସତ୍ତ୍ଵେ ପାଇଲଟ କକପିଟର ଡୋର୍ ଖୋଲିଥିଲେ । ସେହିପରି ହୟୁନ ଆକ୍ରମଣକାରୀକୁ କାବୁ କରିବାରେ ସଫଳ ହୋଇଥିଲେ । ଯେଉଁଥିପାଇଁ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ସେପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କ୍ୟାପ୍ଟେନ ମଚ୍ଛାରଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ସାହାସକୁ ଅବିଶ୍ଵସନୀୟ କହିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ପାଇଲଟ ଯେଉଁଭଳି ଭାବେ ସ୍ଥିତିକୁ ସମ୍ଭାଳିନେଲେ ତାହା ପ୍ରଶଂସନୀୟ ।
ସୌଜନ୍ୟ ପ୍ରମେୟ




