West Bengal Politics: ଜାମିନରେ ଜେଲ୍ରୁ ବାହାରି ନନ୍ଦୀଗ୍ରାମରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଉପନିର୍ବାଚନ ପାଇଁ ଜେଲ୍ରୁ ବାହାରିବାର ଦିନକ ପରେ ଗୁରୁବାର ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ। ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦୀଗ୍ରାମରେ ଦଳୀୟ କର୍ମୀଙ୍କ ସହ ସେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ...

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଉପନିର୍ବାଚନ ପାଇଁ ଜେଲ୍ରୁ ବାହାରିବାର ଦିନକ ପରେ ଗୁରୁବାର ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ। ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦୀଗ୍ରାମରେ ଦଳୀୟ କର୍ମୀଙ୍କ ସହ ସେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ନନ୍ଦୀଗ୍ରାମ ବସ୍ଷ୍ଟାଣ୍ଡ ଦେଇ ଟେନର ଅଞ୍ଚଳ ଅଭିମୁଖେ ଯାଇଥିଲେ। ବାଟରେ ସେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ଭେଟି ଭୋଟ ମାଗିଥିଲେ।
କାଲ୍କାଟା ହାଇକୋର୍ଟର ବିଚାରପତି ତୀର୍ଥଙ୍କର ଘୋଷ ମଙ୍ଗଳବାର ମିଲନଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଅକ୍ଟୋବର ୨୦ ପର୍ଯ୍ୟନ୍ତ ଏହି ଜାମିନ ବଳବତ୍ତର ରହିବ। ବୁଧବାର ଜେଲ୍ରୁ ମିଲନ ମୁକ୍ତ ହୋଇଥିଲେ। ସେ ପ୍ରାୟ ୧୨ ଦିନ ଧରି ଜେଲ୍ରେ ଥିଲେ। ଅକ୍ଟୋବର ୨୧ରେ ତାଙ୍କୁ ପୁଣି ଅଦାଲତରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ମିଲନଙ୍କ ବିରୋଧରେ ୨୦୦୭ର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ସମୟର ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା, ଅପହରଣ, ଲୁଟ୍ ଓ ଆପରାଧିକ ଧମକ ଭଳି ଅଭିଯୋଗରେ ନନ୍ଦୀଗ୍ରାମ ଓ ଖେଜୁରୀ ଥାନାରେ ମାମଲା ହୋଇଥିଲା।
ପୁଲିସ ଚାରିଟି ଗିରଫ ପରୱାନା ଆଧାରରେ ସେପ୍ଟେମ୍ବର ୧୮ରେ ତାଙ୍କୁ ଗିରଫ କରିଥିଲା। ଜେଲ୍ରୁ ବାହାରିବା ପରେ ମିଲନ ଅଭିଯୋଗ କରିଥିଲେ ଯେ, ତାଙ୍କୁ ନିର୍ବାଚନରୁ ହଟିଯିବା ପାଇଁ ଚାପ ଦିଆଯାଇଥିଲା। ଗିରଫ ସମୟରେ ଆଖିରେ ଗାମୁଛା ବାନ୍ଧି ତାଙ୍କୁ ନିଆଯାଇଥିବା ଏବଂ ତାଙ୍କୁ ଏକ ମିଥ୍ୟା ‘ଏନ୍କାଉଣ୍ଟର’ରେ ହତ୍ୟା କରାଯାଇପାରେ ବୋଲି ଭୟ ଥିବା ସେ କହିଛନ୍ତି। ପ୍ରଚାର ସମୟରେ ମିଲନ ନନ୍ଦୀଗ୍ରାମର ସ୍ଥାନୀୟ ସମସ୍ୟା ଉଠାଇଛନ୍ତି। ପାଇପ୍ ଜଳ ଯୋଗାଣ ଅଭାବରୁ ଲୋକେ ପୋଖରୀ ପାଣି ପିଉଥିବା, ସାଧାରଣ ମହାବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ, ନର୍ସିଂ କଲେଜ୍ ଓ ଆଇଟିଆଇ ନଥିବା ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




