Odisha Politics: ଆଜିଠୁ ବିଜେଡିର ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା, କଂଗ୍ରେସର ପ୍ରତିବାଦ, ବିଜେପିର ସେବା ସଂକଳ୍ପ ଅଭିଯାନ

ଭୁବନେଶ୍ୱର,୦୨/୧୦: ଗାନ୍ଧି ଜୟନ୍ତୀରୁ ରାଜ୍ୟ ରାଜନୀତି ଆହୁରି ସରଗରମ ହେବ । ସବୁ ଦଳ ମଇଦାନକୁ ଓହ୍ଲାଇବେ । ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ରଣନୀତି ସହ ଆସୁଛନ୍ତି । ଶାସକ ଦଳ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବ । ସେହିପରି ପଞ୍ଚାୟତ ରାଜନୀତିକୁ ତତାଇବ ସ୍ୱତନ୍ତ୍ର ଗ୍ରାମ ସଭା । ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ।
ଶୁକ୍ରବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୨ ନମ୍ବର ୱାର୍ଡରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ମାସେ ବ୍ୟାପୀ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଏହି ପଦଯାତ୍ରା ଚାଲିବ । ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ସରକାରଙ୍କ ୨୭ ମାସ ଶାସନର ବିଭିନ୍ନ ବିଫଳତା ନେଇ ଦଳ ଲୋକଙ୍କ ପାଖକୁ ଯିବ । ବିଭିନ୍ନ ନିର୍ବାଚନମଣ୍ଡଳୀର ନେତା ଏହାର ମଙ୍ଗ ଧରିବେ । ପଞ୍ଚାୟତ ଓ ପୌର ନିର୍ବାଚନ ଆସନ୍ତା ବର୍ଷ ଥିବାରୁ ଏହି ପଦଯାତ୍ରା ମାଧ୍ୟମରେ ବିଜେଡି ତା’ର ଅଭିଯାନ ଆରମ୍ଭ କରିବ।
ପୂର୍ବରୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରୁ ସେବା ସଂକଳ୍ପ ଅଭିଯାନ ଜାରି ରହିଛି । ଗତ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରରୁ ନେଇ ସଫେଇ ଅଭିଯାନ ଚଳାଇଛି ବିଜେପି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପିରେ ସାଂଗଠନିକ ସକ୍ରିୟତା ବଢ଼ିଛି । ସମସ୍ତ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରରେ ଏହି ଅଭିଯାନକୁ ଜୋରଦାର କରାଯାଇଛି ।
ଅନ୍ୟପଟେ ଗ୍ରାମସଭାଗୁଡ଼ିକୁ ଅଧିକ ସକ୍ରିୟ କରିବାକୁ ଅଣ୍ଟା ଭିଡ଼ିଛି ପଞ୍ଚାୟତିରାଜ ବିଭାଗ । ଗାନ୍ଧି ଜୟନ୍ତୀରେ ସମସ୍ତ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ । ଏହା ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଆଧାର କରି ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗ ଲକ୍ଷ୍ୟ ରଖିଛି । ଗ୍ରାମସଭାକୁ ନେଇ ଏବେ ଗାଁରେ ରାଜନୀତି ବି ତେଜିଛି । ସରପଞ୍ଚ ଏବଂ ୱାର୍ଡମେମ୍ବର ଏହାକୁ ନେଇ ସକ୍ରିୟ ହୋଇପଡ଼ିଛନ୍ତି । ଅନ୍ୟପଟେ ବିରୋଧୀ ଶିବିର ବି ଚଳଚଞ୍ଚଳ ହୋଇଛି । ଗ୍ରାମସଭାରେ ସବୁ ନିଜର ପତିଆରା ଓ ଦମ୍ ଦେଖାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମସଭାରୁ ଗାଁ ରାଜନୀତି ଆହୁରି ତେଜିବ ।
ସୌଜନ୍ୟ ସମାଜ




